News7 Logo

ସେପ୍ଟେମ୍ୱର ୨୮ରେ ମୁମ୍ୱାଇରେ ହେବ ବିସିସିଆଇର AGM, ଅଧ୍ୟକ୍ଷ ସହ ଅନ୍ୟ ସବୁ ପଦ ପାଇଁ ହେବ ନିର୍ବାଚନ

NEWS7
BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ଏଜିଏମ୍ ଅର୍ଥାତ୍ ବାର୍ଷିକ ସାଧାରଣ ବୈଠକ ସେପ୍ଟେମ୍ୱର ୨୮ରେ ମୁମ୍ୱାଇରେ ଅନୁଷ୍ଠିତ ହେବ । ଏହି ବୈଠକରେ ବୋର୍ଡ ଧ୍ୟକ୍ଷୟ ଓ ଆଇପିଏଲ୍ ଅଧ୍ୟକ୍ଷ ସମେତ ଅନେକ ପଦ ପାଇଁ ପାଇଁ ନିର୍ବାଚନ ହେବ । ଚଳିତ ମାସ ଆରମ୍ଭରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କ ଇସ୍ତଫା ପରେ ବିସିସିଆଇ ଅଧ୍ୟକ୍ଷ ପଦ ଖାଲି ରହିଛି । ଅନ୍ୟପଟେ ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୂମଳଙ୍କ ଛଅ ବର୍ଷର କାର୍ଯ୍ୟକାଳ ପୂରା କରିବା ପରେ ବାଧ୍ୟତାମୂଳକ କୁଲିଂ ପିରିୟଡରେ ଯିବାର ସମ୍ଭାବନା ରହିଛି ।

ବିସିସିଆଇ ସଚିବ ଦେବଜିତ୍ ସାଇକିଆ ବର୍ତ୍ତମାନ ସୁଦ୍ଧା ତିନି ବର୍ଷର କାର୍ଯ୍ୟକାଳ ପୂରଣ କରିସାରିଛନ୍ତି । ଏଥିରେ ସେ ଦୁଇ ବର୍ଷ ତିନି ମାସ ଯାଏ ସଂଯୁକ୍ତ ସଚିବ ଓ ନଅ ମାସ ଯାଏ ସଚିବ ରହିସାରିଛନ୍ତି । ଏପରି ସ୍ଥିତିରେ ସେ ନିଜ ପଦରେ ରହିବାର ସମ୍ଭବାନା ଅଧିକ ରହିଛି । ଉଲ୍ଲେଖଯୋଗ୍ୟ, ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ଚଳିତ ବର୍ଷ ଜାନୁଆରୀରେ ସାଇକିଆଙ୍କୁ ସର୍ବସମ୍ମତିରେ ବିସିସିଆଇ ସଚିବ ନିଯୁକ୍ତ କରାଯାଇଥିଲା । ଏହା ବ୍ୟତୀତ ଅନ୍ୟ ପଦାଧିକାରୀ ଯେଉଁମାନେ ନିଜ ପଦ ବଜାୟ ରଖିପାରନ୍ତି, ସେମାନଙ୍କ ମଧ୍ୟରେ ରୋହନ ଦେସାଆଇ ଓ ପ୍ରଭତେଜ ଭାଟିଆଙ୍କ ନାଁ ସାମିଲ ଅଛି । ଚଳିତ ବର୍ଷ ମାର୍ଚ୍ଚରେ ଦେସାଇଙ୍କୁ ସଂଯୁକ୍ତ ସଚିବ ଭାବେ ଚୟନ କରାଯାଇଥିଲା । ପ୍ରଭତେଜ ଭାଟିଆଙ୍କୁ ଜାନୁଆରୀରେ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା ।

ବିନ୍ନି ୨୦୨୨ ଅକ୍ଟୋବରରେ ବିସିସିଆଇର ସଭାପତି ହୋଇଥିଲେ । ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଥିଲେ । ଗାଙ୍ଗୁଲିଙ୍କ ତିନି ବର୍ଷର କାର୍ଯ୍ୟକାଳ ପରେ ଶୀର୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ବିନ୍ନି ଏକମାତ୍ର ପ୍ରାର୍ଥୀ ଥିଲେ । ପ୍ରଥମେ ଦାବି କରାଯାଇଥିଲା ଯେ ସେପ୍ଟେମ୍ବରରେ ବିସିସିଆଇ ବାର୍ଷିକ ସାଧାରଣ ବୈଠକ ପର୍ଯ୍ୟନ୍ତ ବିନ୍ନି ଏହି ପଦବୀରେ ରହିବେ । କିନ୍ତୁ ଜୁଲାଇରେ ୭୦ ବର୍ଷ ବୟସ ହେବା ପରେ ସେ ଅବସର ଘୋଷଣା କରିଥିଲେ ।

ବିନ୍ନିଙ୍କ କାର୍ଯ୍ୟକାଳ ସମୟରେ ଭାରତ ଦୁଇଟି ସୀମିତ ଓଭର ଫର୍ମାଟ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିଲା । ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିଥିଲା । ଏହା ବ୍ୟତୀତ ବିନ୍ନିଙ୍କ କାର୍ଯ୍ୟକାଳ ସମୟରେ ମହିଳା ପ୍ରିମିୟର ଲିଗ୍ (WPL) ମଧ୍ୟ ଆରମ୍ଭ ହୋଇଥିଲା । ଖେଳାଳିମାନଙ୍କ ଦରମା ବୃଦ୍ଧି ପାଇଥିଲା ଏବଂ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବା ଉପରେ କଠୋର ପଦକ୍ଷେପ ନିଆଯାଇଥିଲା।