ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଜାରି ବିବାଦ ଥମିବାର ନାଁ ନେଉନି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ପାଖାପାଖି ୨ ମାସ ସମୟ ରହିଛି। ତଥାପି ଟୁର୍ଣ୍ଣାମେଣ୍ଟର ଭେନ୍ୟୁକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ପାରିନି। ଟୁର୍ଣ୍ଣାମେଣ୍ଟ ଆୟୋଜନର ଅଧିକାର ପାକିସ୍ତାନ ନିକଟରେ ରହିଛି। କିନ୍ତୁ ଭାରତୀୟ ଦଳ କୌଣସି ବି ପରିସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯିବାକୁ ପ୍ରସ୍ତୁତ ନୁହେଁ। ତଥାପି ପାକିସ୍ତାନ ନିଜ ଦେଶରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ଜିଦରେ ଅଟଳ ରହିଥିଲା। ଶେଷରେ ଭାରତର ହାଇବ୍ରିଡ ମଡେଲ୍ ପ୍ରସ୍ତାବକୁ ସ୍ଵୀକାର କରିଛି ପାକିସ୍ତାନ। କିନ୍ତୁ ଦୁଇଟି ସର୍ତ୍ତ ରଖିଥିଲା ପିସିବି। ଯାହା ଉପରେ ନିଜର ଜବାବ ଆଇସିସିକୁ ପଠାଇ ଦେଇଛି ବିସିସିଆଇ।
ଦ ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ବିସିସିଆଇ ପିସିବିର ସର୍ତ୍ତ ମାନିବାକୁ ସ୍ପଷ୍ଟ ମନା କରି ଦେଇଛି। ବିସିସିଆଇ ପିସିବିର ଦାବି(ଭବିଷ୍ୟତରେ ପାକିସ୍ତାନର ନିରପେକ୍ଷ ସ୍ଥାନରେ ଖେଳିବା ବିଷୟରେ) ଉପରେ ଆଇସିସି ଅଧିକାରୀଙ୍କୁ ଏକ ସ୍ପଷ୍ଟ ସନ୍ଦେଶ ପଠାଇଛି। ଭାରତ କହିଛି ଯେ, ପାକିସ୍ତାନର ନିରପେକ୍ଷ ସ୍ଥାନରେ ଖେଳିବା ଦାବି ସ୍ଵୀକାରର୍ଯ୍ୟ ନୁହେଁ। କାରଣ ଭାରତରେ ସୁରକ୍ଷାର କୌଣସି ବିପଦ ନାହିଁ। ଏଥିପାଇଁ ପାକିସ୍ତାନର ଦାବି ସ୍ଵୀକାର କରିବାର କୌଣସି ପ୍ରଶ୍ନ ଉଠୁନି।
Also read: ଆଡିଲେଡ୍ରେ ଇତିହାସ ରଚିବେ କିଙ୍ଗ୍ କୋହଲି, ଭାଙ୍ଗିବେ ବ୍ରାଏନ୍ ଲାରାଙ୍କ ରେକର୍ଡ
ବିସିସିଆଇର କହିବା ଅର୍ଥ ପାକିସ୍ତାନ ଦଳକୁ ଭାରତରେ କୌଣସି ବିପଦ ନାହିଁ। ଏଠାକାର ସ୍ଥିତି ପାକିସ୍ତାନ ପରି ନୁହେଁ। ତେଣୁ ଭାରତରେ ହେବାକୁ ଥିବା କୌଣସି ବି ଆଇସିସି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯିବାର ପ୍ରଶ୍ନ ଉଠୁନି। ଏମିତିରେ ପୁଣି ଥରେ ପାକିସ୍ତାନର ପରାଜୟ କହିଲେ ଅତ୍ୟୁକ୍ତି ହେବନି। ଏହା ପୂର୍ବରୁ ପିସିବି ହାଇବ୍ରିଡ ମଡେଲର ବିରୋଧ କରିଥିଲା। କିନ୍ତୁ ଶେଷରେ ବିସିସିଆଇର ଦାବି ସ୍ଵୀକାର କରିବାକୁ ପଡ଼ିଥିଲା।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସନ୍ତାକାଲି ଗୁରୁବାର ଆଇସିସିର ବୈଠକ ବସିବ। ଏଥିରେ ବିସିସିଆଇ ଓ ପିସିବି ଦୁଇ ବୋର୍ଡର ବଡ଼ ଅଧିକାରୀ ସାମିଲ ହେବେ। ବୈଠକରେ ଚାମ୍ପିଅନ୍ସ ଟ୍ରଫିର ବିବାଦ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରେ। ଏହା ପୂର୍ବରୁ ନଭେମ୍ବର ୨୯ରେ ଆଇସିସିର ବୋର୍ଡ ମିଟିଂ ବସିଥିଲା। ହେଲେ ଏଥିରେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ଆଉ ଏହି ବୈଠକ ମାତ୍ର ୧୫ ମିନିଟ୍ ଚାଲିଥିଲା।