LIVE TV

‘ଏସିଆ କପ୍ ଟ୍ରଫି କାହିଁକି ଦେଲନି ?’, ରାଜୀବ ଶୁକ୍ଳାଙ୍କ ପ୍ରଶ୍ନରେ ନକଭି କହିଲେ-ମୁଁ ସେଠାରେ କାର୍ଟୁନ ପରି ଠିଆ ହୋଇଥିଲି

NEWS7
RAJIV SUKLA

ନୂଆଦିଲ୍ଲୀ: ଏସିଆ କପ୍ ବିଜେତା ଟ୍ରଫି ଦିଆନଯିବା ଉପରେ ଏସିସି ବୈଠକରେ କଡ଼ା ଆପତ୍ତି ଉଠାଇଛି ବିସିସିଆଇ । ଏସିସିର ବାର୍ଷିକ ସାଧାରଣ ବୈଠକରେ ଏସିସି ଅଧ୍ୟକ୍ଷ ମୋହସିନ ନକଭିଙ୍କ ମନଇଚ୍ଛା କାର୍ଯ୍ୟକୁ ବିବିସିଆଇ ଜୋରଦାର ବିରୋଧ କରିଛି । ରବିବାର ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ନବମ ଥର ପାଇଁ ଟ୍ରଫି ଜିତିଥିଲା । କିନ୍ତୁ ଭାରତୀୟ ଖେଳାଳିମାନେ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲେ । ଚାମ୍ପିଅନ ଦଳକୁ ବିଜେତା ଟ୍ରଫି ନଦେଇ ସମାରୋହ ଶେଷ କରାଯାଇଥିଲା ।

ଭାରତୀୟ ଖେଳାଳିମାନେ ଟ୍ରଫି ବିନା ଟ୍ରଫିରେ ସେଲିବ୍ରେସନ କରିଥିଲେ । ବିସିସିଆଇ ସଚିବ ଦେବଜିତ୍ ସାଇକିଆ ପରେ କହିଥିଲେ ଯେ ନକଭି ତାଙ୍କ ହୋଟେଲ ରୁମକୁ ଟ୍ରଫି ନେଇଯାଇଛନ୍ତି ଏବଂ ବୋର୍ଡ ଆଇସିସି ନିକଟରେ ଅଭିଯୋଗ କରିବ । ପିଟିଆଇ ଅନୁସାରେ, ଟ୍ରଫି ହସ୍ତାନ୍ତର କରାଯାଉ ବୋଲି ବିସିସିଆଇ ଚାହୁଁଛି, କିନ୍ତୁ ଏସିସି ସଭାପତି ମୋହସିନ ନକଭି ଏଥିରେ ରାଜି ନୁହନ୍ତି । ଉଲ୍ଲେଖଯୋଗ୍ୟ ଯେ ନକଭି ପାକିସ୍ତାନର ଗୃହମନ୍ତ୍ରୀ ଅଛନ୍ତି ଏବଂ ସେ ଭାରତ ବିରୋଧୀ ବୟାନ ଦେଇ ଆସୁଛନ୍ତି ।

ଭାରତ ପୂର୍ବରୁ ଘୋଷଣା କରିଥିଲା ​​ଯେ ସେ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବ ନାହିଁ । କିନ୍ତୁ ଏହା ସତ୍ତ୍ୱେ, ନକଭି ଟ୍ରଫି ପ୍ରଦାନ ସମାରୋହରେ ମଞ୍ଚ ଛାଡି ନଥିଲେ । ବିସିସିଆଇ ସଚିବ ଦେବଜିତ ସାଇକିଆ ମଧ୍ୟ ଖେଳାଳିଙ୍କ ପଦକ୍ଷେପକୁ ସମର୍ଥନ କରିଥିଲେ । ସେ କହିଥିଲେ ଭାରତୀୟ ଦଳର ପଦକ୍ଷେପ ପୂରା ଠିକ୍ ଏବଂ ବୋର୍ଡ ନଭେମ୍ବରରେ ହେବାକୁ ଥିବା ଆଇସିସି ବୈଠକରେ ଏହି ମାମଲା ସମ୍ପର୍କରେ କଡ଼ା ପ୍ରତିବାଦ କରିବ ।

ଆଜିର ବୈଠକରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ପୂର୍ବତନ କୋଷାଧ୍ୟକ୍ଷ ଆଶିଷ ଶେଲାର ବୋର୍ଡର ପ୍ରତିନିଧିତ୍ୱ କରିଥିଲେ। ଏସିଆ କପ୍ ଟ୍ରଫି ଏବେ ବି ଏସିସି କାର୍ଯ୍ୟାଳୟରେ ପଡ଼ି ରହିଛି ଏବଂ କେବେ ବିଜେତା ଦଳକୁ ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂତ୍ର ଅନୁସାରେ, "ଭାରତ ଏସିସି ବୈଠକରେ ବିଜେତା ଟ୍ରଫି ହସ୍ତାନ୍ତର ନକରିବା ଏବଂ ପୁରସ୍କାର ସମାରୋହ ପରେ ନକଭି କରିଥିବା ନାଟକକୁ କଡ଼ା ବିରୋଧ କରିଛି । ରାଜୀବ ଶୁକ୍ଲା କହିଥିଲେ ଯେ ଟ୍ରଫି ବିଜୟୀ ଦଳକୁ ହସ୍ତାନ୍ତର କରାଯିବା ଉଚିତ । ଏହା ଏସିସିର ଟ୍ରଫି ଏବଂ ଜଣେ ବ୍ୟକ୍ତିଙ୍କ ସହିତ କୌଣସି ସମ୍ପର୍କ ନାହିଁ।" ବୈଠକରେ ନକଭି ସ୍ପଷ୍ଟ କରିଥିଲେ, "ମୁଁ ସେଠାରେ ବିନା କୌଣସି କାରଣରେ କାର୍ଟୁନ ପରି ଠିଆ ହୋଇଥିଲି । ଭାରତୀୟ ଦଳ ମୋ ଠାରୁ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ଏସିସିକୁ କେବେ ଲିଖିତ ଭାବରେ ଜଣାଇ ନଥିଲା।"