ମୁମ୍ବାଇ ୫।୯: ଅନିଲ ଅମ୍ବାନୀଙ୍କ ସମସ୍ୟା କମ୍ ହେବାର ନାଁ ନେଉନି। ଭାରତୀୟ ଷ୍ଟେଟବ୍ୟାଙ୍କ ପରେ ଏବେ ବ୍ୟାଙ୍କ ଅଫ ବରୋଦା ମଧ୍ୟ ଦେବାଳିଆ ହୋଇଯାଇଥିବା ରିଲାଏନ୍ସ କମ୍ୟୁନିକେସନ (ଆରକମ) ଓ ଏହାର ପୂର୍ବତନ ନିର୍ଦ୍ଦେଶକ ଅନିଲ ଅମ୍ବାନୀଙ୍କ ଲୋନ ଆକାଉଣ୍ଟକୁ ଫ୍ରଡ ଘୋଷଣା କରିଛି। ବ୍ୟାଙ୍କ ଏହି ସୂଚନା ଏକ୍ସଚେଞ୍ଜ ଫାଇଲିଂରେ ଦେଇଛି। ଏହାର ଜବାବରେ ଆରକମ କହିଛି ଯେ ବ୍ୟାଙ୍କ ଅଫ ବରୋଦା ଯେଉଁ ଲୋନ ସମ୍ପର୍କରେ କହୁଛି ତାହା ସେ ସମୟର ଯେଉଁ ସମୟରେ କମ୍ପାନୀ ଇନସଲଭେନ୍ସୀ ରିଜଲ୍ୟୁସନ ପ୍ରୋସେସକୁ ଯାଇ ନଥିଲା।

କମ୍ପାନୀ ସ୍ପଷ୍ଟ ଭାବେ କହିଛି ଯେ ଏହି ଲୋନକୁ ଇନସଲଭେନ୍ସୀ ଆଣ୍ଡ ବ୍ୟାଙ୍କରପସୀ କୋଡ (ଆଇବିସି) ଅନୁସାରେ ରିଜଲ୍ୟୁସନ ପ୍ଲାନ ନଚେତ ଲିକ୍ୱିଡେସନ ପ୍ରୋସେସରେ ଏବେ ସମାଧାନ କରିବା ଜରୁରି। ଆରକମ୍ ଏହା ମଧ୍ୟ କହିଛି ଯେ କମ୍ପାନୀର କ୍ରେଡିଟର୍ସ କମିଟି ରିଜଲ୍ୟୁସନ ପ୍ଲାନକୁ ପୂର୍ବରୁ ଆପୃଭ କରିଛି ଓ ଏହା ଏବେ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ଆପୃଭାଲ ଅପେକ୍ଷାରେ ଅଛି। କମ୍ପାନୀ ଏବେ ରିଜଲ୍ୟୁସନ ପ୍ରଫେସନାଲଙ୍କ କଣ୍ଟ୍ରୋଲରେ ରହିଛି ଓ ଅନିଲ ଅମ୍ବାନୀ ଏବେ ଏହାର ନିର୍ଦ୍ଦେଶକ ନାହାନ୍ତି।

ତେବେ ବ୍ୟାଙ୍କ ଅଫ ବରୋଦାର ଏହି ପଦକ୍ଷେପ ଅନିଲ ଅମ୍ବାନୀଙ୍କ ଲାଗି ଏକ ଝଟକା ବୋଲି କୁହାଯାଉଛି। ଏହା ପୂର୍ବରୁ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଜୁନ ୨୦୨୫ରେ ଆରକମର ଲୋନ ଆକାଉଣ୍ଟକୁ ଫ୍ରଡ ଘୋଷଣା କରିଥିଲା। ଏହା ପରେ ଅଗଷ୍ଟ ୨୪ରେ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଏହି ପଦକ୍ଷେପ ନେବା ସହ ଆରକମ ଲୋନ ଆକାଉଣ୍ଟକୁ ଫ୍ରଡ ଘୋଷଣା କରି ଏଥିରେ ଅନିଲ ଅମ୍ବାନୀଙ୍କ ନାମ ସାମିଲ କରିଛି।

ଉଲ୍ଲେଖଯୋଗ୍ୟ ଯେ ଅନିଲ ଅମ୍ବାନୀ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଯାଞ୍ଚରେ ଫଶି ଛନ୍ତି। ଇଡି ରିଲାଏନ୍ସ ଗ୍ରୁପ କମ୍ପାନୀଙ୍କ ସମ୍ପର୍କିତ ଲୋନ ଫ୍ରଡର ଯାଞ୍ଚ କରୁଛି। ଏହି ଠକେଇ ପରିମାଣ ଅନୁନ୍ୟ ୧୭ହଜାର କୋଟି ଟଙ୍କା ବୋଲି ଆକଳନ କରାଯାଉଛି।  ଏହାକୁ ଏ ପର୍ଯ୍ୟନ୍ତର ସବୁଠୁ ବଡ଼ କର୍ପୋରେଟ ଲୋନ ଫ୍ରଡ ଯାଞ୍ଚ ମଧ୍ୟରେ ଅନ୍ୟତମ ବୋଲି ମନେ କରାଯାଉଛି। ଏଥି ପାଇଁ ଇଡି ଗତ ମାସରେ ଅନିଲ ଅମ୍ବାନୀଙ୍କୁ ପଚରା ଉଚରା ପାଇଁ ଡକାଇଥିଲା।

ତେବେ ଆରକମର କହିବା କଥା ହେଉଛି ମାମଲା ଇନସଲଭେନ୍ସୀ ଆଣ୍ଡ ବ୍ୟାଙ୍କରପସୀ କୋଡ (ଆଇବିସି)ଙ୍କ ବିଚାରାଧୀନ ରହିଛି। ଏଣୁ ଲୋନ ଫ୍ରଡ ନିଷ୍ପତ୍ତି ମଧ୍ୟ ରିଜଲ୍ୟୁସନ ପ୍ଲାନ ଓ ଲିକ୍ୱିଡେସନ ମାଧ୍ୟମରେ ହେବ। ଏହି ମାମଲା ଏବେ ନା କେବଳ ଆରକମ ଓ ଅନିଲ ଅମ୍ବାନୀଙ୍କ ସମସ୍ୟାକୁ ଜଟିଳ କରିଛି ବରଂ ବ୍ୟାଙ୍କିଙ୍ଗ ସିଷ୍ଟମ ଓ କର୍ପୋରେଟ ଲୋନ ସମ୍ପର୍କିତ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇଛି। ଏବେ ଦେଖିବାର କଥା ହେଉଛି ଏନସିଏଲଟିଙ୍କ ମଞ୍ଜୁରୀ ମିଳିବା ପରେ ଏହି ମାମଲା କେଉଁଆଡକୁ ଯାଉଛି ଓ ଅନିଲ ଅମ୍ବାନୀଙ୍କ ଉପରେ ଚାଲିଥିବା ଯାଞ୍ଚ କେଉଁ ମୋଡ ନେଉଛି।