ନୂଆଦିଲ୍ଲୀ: ବାଂଲାଦେଶରେ ଇସ୍କନର ହିନ୍ଦୁ ପୂଜାରୀ ଚିନ୍ମୟ କୃଷ୍ଣ ଦାସଙ୍କୁ ୫ ମାସ ପରେ ଜାମିନ ମିଳିଛି । ବାଂଲାଦେଶର ଡେଲି ଷ୍ଟାର ରିପୋର୍ଟ ଅନୁସାରେ ହାଇକୋର୍ଟ ଚିନ୍ମୟ କୃଷ୍ଣ ଦାସଙ୍କୁ ରାଜଦ୍ରୋହ ମାମଲାରେ ଜାମିନ ଦେଇଛନ୍ତି । ତାଙ୍କୁ ଗତ ବର୍ଷ ନଭେମ୍ୱର ୨୫ରେ ଗିରଫ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଉପରେ ଭାରତ କଡ଼ା ଆପତ୍ତି ଉଠାଇଥିଲା । ଏହାସହ ୟୁନୁସ ସରକାରଙ୍କୁ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅପିଲ୍ କରିଥିଲା ।
ବାଂଲାଦେଶରେ ଜଣେ ମୁଖର ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ହାସଙ୍କୁ ଗତ ବର୍ଷ ନଭେମ୍ୱରରେ ଢାକା ବିମାନ ବନ୍ଦରରେ ଗିରଫ କରାଯାଇଥିଲା । ବାଂଲାଦେଶ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ ଆଣି ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ବାଂଲାଦେଶ କୋର୍ଟ ତାଙ୍କୁ ତତ୍କାଳ ଜାମିନ ଦେବାକୁ ମନା କରିଦେଇଥିଲେ । ଏହାସହ ପରେ ଢାକା ସମେତ ପୂରା ବାଂଲାଦେଶରେ ହିନ୍ଦୁମାନେ ୟୁନୁସ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଚିନ୍ମୟ କୃଷ୍ଣ ଦାସ ଗତ ୫ ମାସରୁ ଜେଲରେ ବନ୍ଦୀ ଅଛନ୍ତି । ଜାନୁଆରୀ ୨ରେ ଚଟଗାଓଁର ନିମ୍ନ ଅଦାଲତ ତାଙ୍କ ଯାଚିକାକୁ ଖାରଜ କରିଦେଇଥିଲେ । ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫେବ୍ରୁଆରୀରେ ବାଂଲାଦେଶ ସରକାରଙ୍କୁ କାହିଁକି ଜାମିନ ପ୍ରଦାନ କରାଯିବନି ତାର କାରଣ ମାଗିଥିଲେ । ଚଟଗାଓଁରେ ଜାନୁଆରୀ ୨ରେ ଶୁଣାଣି ବେଳେ ଦାସଙ୍କ ଓକିଲ ଯୁକ୍ତି ରଖିଥିଲେ ଯେ ଚିନ୍ମୟ ନିଜ ମାତୃଭୂମି ବାଂଲାଦେଶ ପ୍ରତି ସମ୍ମାନ ରଖନ୍ତି ଓ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିବା ଭୁଲ ଅଟେ ।