ଆବେଦନକାରୀଙ୍କୁ ଝଟ୍‌କା, ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ଆସିଥିବା ମାମଲା ହାଇକୋର୍ଟରେ ଖାରଜ

Published By : Prameya-News7 Bureau | April 25, 2024 IST

କଟକ ୨୫।୦୪ :  ହାଇକୋର୍ଟଙ୍କ ଅଶ୍ୱସ୍ତି । କେନ୍ଦ୍ର ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ବିରୋଧରେ ଦାଏର ଏକ  ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । ଏହାସହ  ଆବେଦନକାରୀଙ୍କ ଉପରେ ୫ ଲକ୍ଷ ଟଙ୍କା  ଜରିମାନାର ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ  ଉଦ୍ଦେଶ୍ୟ ରଖି ମାମଲା ଦାଏର କରାଯାଇଛି  ବୋଲି ହାଇକୋର୍ଟ ମତବ୍ୟକ୍ତ କରିଛନ୍ତି ।  

୨୦୧୯ରେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ  ଯେଉଁ ସତ୍ୟପାଠ ଦାଖଲ କରିଥିଲେ  ।  ସେଥିରେ ମିଥ୍ୟା ସୂଚନା ଦେଇଥିବା ଦର୍ଶାଇ ଭାଗ୍ୟଧର ବେହେରା ଏହି ମାମଲା ଦାଏର   କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି   ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍‌   ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ   ମାମଲାର ଶୁଣାଣି କରି ପିଟିସନ୍‌ ଖାରଜ କରିଛନ୍ତି । ଏହାସହ ଆବେଦନକାରୀଙ୍କ  ଉପରେ ଏହି ଜରିମାନା ମଧ୍ୟ ଲାଗୁ କରିଛନ୍ତି ।  ଆବେଦନକାରୀ ଶ୍ରୀ ବେହେରା ଆସନ୍ତା ଦୁଇ  ସପ୍ତାହ ମଧ୍ୟରେ ଜରିମାନା ଅର୍ଥ ହାଇକୋର୍ଟ ବାର୍‌ ଆସୋସିଏସନ୍‌ କଲ୍ୟାଣ ପାଣ୍ଠିରେ ଜମା କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ଆବେଦନକାରୀ ପିଟିସନ୍‌ରେ ଅଭିଯୋଗ କରିଥିଲେ ଯେ, ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ  ରାଜ୍ୟସଭାକୁ ଯିବା ଲାଗି ୨୦୧୯ ମସିହାରେ ଯେଉଁ ନାମାଙ୍କନପତ୍ର ଦାଖଲ କରିଥିଲେ । ସେଥିରେ ସେ ସତ୍ୟପାଠରେ ମିଥ୍ୟା ସୂଚନା ଦେଇଥିଲେ । ଏନେଇ ଆବେଦନକାରୀ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ  ଅଭିଯୋଗ କରିଥିଲେ । କିନ୍ତୁ ଆୟୋଗ ଏହା ଉପରେ କୌଣସି ପଦକ୍ଷେପ ନନେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିର୍ବାଚନ କମିସନଙ୍କୁ ଏହା ଉପରେ ତ୍ୱରିତ  ପଦକ୍ଷେପ ନେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପିଟିସନ୍‌ରେ ପ୍ରାର୍ଥନା   କରିଥିଲେ । ହାଇକୋର୍ଟ ଏହା  ଉପରେ ଶୁଣାଣି କରି ଆବେଦନକାରୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଥିଲେ ।  ବୁଧବାର ଏହା ଉପରେ ପୁନର୍ବାର ଶୁଣାଣି ହୋଇଥିଲା । ନିଜେ ଆବେଦନକାରୀ  ଅଦାଲତରେ ଉପସ୍ଥିତ ରହି ଏହି ପିଟିସନ୍‌କୁ ପ୍ରତ୍ୟାହାର ପାଇଁ ପ୍ରାର୍ଥନା କରିଥିଲେ ।  ହାଇକୋର୍ଟ ମାମଲା ଖାରଜ ସହ ପ୍ରତ୍ୟାହାର  ଅନୁମତି ପ୍ରଦାନ କରିଥିଲେ । ସେହିପରି  ଆବେଦନକାରୀଙ୍କ ଉପରେ ୫ ଲକ୍ଷ  ଟଙ୍କାର ଜରିମାନା ମଧ୍ୟ କରିଛନ୍ତି । ରାଜ୍ୟ  ସରକାରଙ୍କ ପକ୍ଷରୁ ଏଜିଏ ଦେବକାନ୍ତ  ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.