ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ, ଗୁରୁବାର ହେବ ସୂତା ବାଡ଼ିଆ ଓ ତୁମ୍ବ ଅନୁକୂଳ

Published By : Prameya-News7 Bureau | May 16, 2024 IST

ପୁରୀ ୧୬/୦୫: ଦିନକୁ ଦିନ ଗତି  ଧରୁଛି ରଥ ନିର୍ମାଣ । ବୁଧବାର ସନ୍ଧ୍ୟା ସୁଦ୍ଧା ରଥ ଖଳାରେ ୪୨ ତୁମ୍ବ ଗୋଲେଇ ସରିଛି । ଗୁରୁବାର ରଥ ଖଳାରେ ତୁମ୍ବରେ ସୂତା  ବାଡ଼ିଆ ହେବ । ଏଥିରେ ପାହି ମହାରଣା  ଓ ସୁତାର ମହାରଣାଙ୍କ ପ୍ରମୁଖ ଭୂମିକା ରହିବ । ଅପରାହ୍ନରେ ତୁମ୍ବରେ ବିନ୍ଧ ଅନୁକୂଳ ନେଇ ପ୍ରସ୍ତୁତି ଚାଲିଛି । 

ତିନି ରଥର ମୁଖ୍ୟ ବିଶ୍ୱକର୍ମା ବିନ୍ଧ ଅନୁକୂଳ  କରିବେ । ଆଜି ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଥ ଖଳା  ପରିଦର୍ଶନ କରିବା ସହ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସନ୍ଧ୍ୟା ସୁଦ୍ଧା ତିନି ରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ ତଥା ମଠା କାର୍ଯ୍ୟ ଶେଷ ହୋଇଛି । 

ଏହାପରେ ତୁମ୍ବରେ ସୁତା ମରା ଓ ବିନ୍ଧ ଖୋଦେଇ  ହେବ । କରତି ସେବକମାନେ ତୁମ୍ବର  ଘେର କାଟି ତିନି ରଥ ବିଶ୍ୱକର୍ମାଙ୍କୁ ଯୋଗାଇବେ । ସୁତାବାଡ଼ିଆ ପରେ ତୁମ୍ବର ବଳକା ଅଂଶର ଠେକ ତୁଲିଆ କାର୍ଯ୍ୟ  ହେବ । ପରେ ମାପ ଚୁପ ହୋଇ ବିନ୍ଧ ଅନୁକୂଳ ହେବ । ବିନ୍ଧରେ ଅର ଖଞ୍ଜାଯିବ । ସେଥିରେ ପହି ଯୋଡ଼ାଯାଇ ଚକ ତିଆର  ହେବ । ଗୋଟିଏ ତୁମ୍ବରେ ୪ଗୋଟି ପହି ଲାଗିବ । 

ସେପଟେ ଦୋଳବେଦିସ୍ଥିତ ୩ଟି  ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର  କଣ୍ଟା ଓ ପନ୍ଦାରି ଆଦି ତିଆରୁଛନ୍ତି । ଆଜି  ରଥ ନିର୍ମାଣରେ ୪୭ ଜଣ ବିଶ୍ୱକର୍ମା, ୯  ଓଝା, ୪ କରତି ଓ ୨୭ ଭୋଇ ସେବକ,  ୧ ତୁମ୍ବ ବିନ୍ଧ କାରିଗର ଓ ରଥ ଖଳା ସହାୟକଙ୍କୁ ମିଶାଇ ମୋଟ ୮୯ ଜଣ  ରଥ ନିର୍ମାଣ ନିୟୋଜିତ ଥିବା ଶ୍ରୀମନ୍ଦିର  ପ୍ରଶାସନ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.