ଗିରଫ ହେଲେ ଯନ୍ତ୍ରୀ ଅଶୋକ ପଣ୍ଡା, ଆୟଠାରୁ ୨୧୩% ଅଧିକ ସମ୍ପତ୍ତି ଠାବ

Published By : Prameya-News7 Bureau | August 01, 2025 IST

ଭୁବନେଶ୍ବର: ପୂର୍ତ୍ତ ବିଭାଗର ଡିଭିଜନ୍‌-୩ର ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘର ସମେତ ଏକାଧିକ ସ୍ଥାନରେ ରେଡ୍‌ ଚାଲିଥିବାବେଳେ ଶୁକ୍ରବାର ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚାରି ଦିନର ରେଡ୍‌ରେ ଏପର୍ଯ୍ୟନ୍ତ ତାଙ୍କର ଆୟଠାରୁ ୨୧୩% ଅଧିକ ସମ୍ପତ୍ତି ଠାବ ହୋଇଛି। ଶୁକ୍ରବାର ରେଡ୍‌ରେ ରାଜଧାନୀରେ ୪ ମହଲା ଘର, ଚନ୍ଦକାରେ ୮, ୪୦୦ ବର୍ଗଫୁଟ୍‌ର ଆଉ ଏକ ଘର ଏବଂ ୨ କୋଟି ୩୫ ଲକ୍ଷ ଟଙ୍କାର ଜମା ଠାବ ହୋଇଛି। 

ପୂର୍ବରୁ ଗୁରୁବାର ରେଡ୍‌ରେ ସହକାରୀ ଯନ୍ତ୍ରୀଙ୍କର ଜଟଣୀରେ ଥିବା ରୟାଲ୍‌ ହାବିଟ୍‌ରେ ୧୪୧୫ ବର୍ଗଫୁଟ୍‌ରେ ଏକ ଫ୍ଲାଟ୍‌, ଭୁବନେଶ୍ୱର ଗ୍ରେସ୍‌ ଆପାର୍ଟମେଣ୍ଟରେ ଦେଢ଼ କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ୍‌ ଅଛି । ଫୁଲନଖରା ଗ୍ରାଣ୍ଡରେ ରହିଛି ଆଉ ଏକ ଫ୍ଲାଟ୍‌, ଭିପୁଲ ଗାର୍ଡେନ୍‌ ଟାୱାର ନମ୍ବର-୯ରେ ରହିଛି ୧୬୩୫ ବର୍ଗଫୁଟ୍‌ର ଏକ ୩ ବିଏଚ୍‌କେ ଫ୍ଲାଟ୍‌, ପାହାଳର ଉତ୍କଳ ଟୋପିଆରେ ଗୋଟିଏ ଫ୍ଲାଟ, ଶାଳୀ ସସ୍ମିତା ଦାଶଙ୍କ ନାଁରେ କସ୍ମୋପଲିସ୍‌ର ୯ ମହଲାରେ ଏକ ଫ୍ଲାଟ୍‌ ଆଠଗଡ଼ରେ ଏକ ପ୍ଲଟ୍‌ ଠାବ ହୋଇଥିଲା। 

ପ୍ଲଟ ଓ ଫ୍ଲାଟ ବ୍ୟତୀତ ତାଙ୍କ ଘରୁ ୨୧ଲକ୍ଷ ଟଙ୍କାର ଆସବାବପତ୍ର ଏବଂ ୪୭ଲକ୍ଷ ଟଙ୍କାର ବ୍ୟାଙ୍କଜମା ଓ ବୀମା, ୧୨୬ ଗ୍ରାମର ସୁନାଗହଣା, ୧୧୭ ଗ୍ରାମର ରୁପା ଗହଣା, ନଗଦ ୧ଲକ୍ଷ ୩୩ ହଜାର ଟଙ୍କା, ଗୋଟିଏ କାର୍‌ ଜବତ କରାଯାଇଥିଲା । 

ଉଲ୍ଲେଖଯୋଗ୍ୟ, ୨୦୦୭ରେ ଅସ୍ଥାୟୀ ଭାବେ ୫ ହଜାର ଟଙ୍କା ଦରମାରେ କାର୍ଯ୍ୟରେ କରୁଥିଲେ ଏହି ବାବୁ ଜଣଙ୍କ । ୨୦୧୩ରେ ସ୍ଥାୟୀ ନିଯୁକ୍ତି ପାଇଥିବା ଏହି କୁବେର ବାବୁ ନିଜର ୧୮ ବର୍ଷ ଚାକିରି କାଳରେ ଅମାପ ସମ୍ପତ୍ତି ଠୁଳ କରିବାରେ କେମିତି ସକ୍ଷମ ହେଲେ ତାହା ସମସ୍ତଙ୍କୁ ଚକିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.