ଏସିଆ କପ୍‌କୁ ନେଇ ସସ୍‌ପେନ୍ସ ଶେଷ, ୟୁଏଇରେ ହେବ ଏସିଆ କପ୍‌ କ୍ରିକେଟ୍‌

Published By : Prameya-News7 Bureau | July 25, 2025 IST

ନୂଆଦିଲ୍ଲୀ ୨୫।୦୭: ଏସିଆ କପ୍‌କୁ ନେଇ ଶେଷ ହେଲା ସସ୍‌ପେନ୍ସ  । ୟୁଏଇରେ ଆୟୋଜିତ ହେବ ଏସିଆ କପ୍‌ କ୍ରିକେଟ୍‌ । ଗୋଟିଏ ଗ୍ରୁପ୍‌ରେ ରହିବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଖୁବଶୀଘ୍ର ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ବିସିସିଆଇ ପକ୍ଷରୁ ଘୋଷଣା କରାଯିବ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜାଣିବାକୁ ମିଳିଛି । 

ଗୁରୁବାର ଢାକାରେ ଏସିଆନ କ୍ରିକେଟ୍‌ କାଉନସିଲର ବାର୍ଷିକ ସାଧାରଣ ବୈଠକ ବସିଥିଲା । ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ବୈଠକରେ ସାମିଲ ହୋଇଥିଲେ । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ‘ଅପରେସନ ସିନ୍ଦୂର’, ଭାରତ ଓ ପାକିସ୍ତାନ ସଂପର୍କକୁ ଅଧିକ ତିକ୍ତ କରିଦେଇଥିଲା । ଆଶା କରାଯାଉଥିଲା ଯେ, ଏଭଳି ସମୟରେ ଏସିଆ କପ୍‌ ଆୟୋଜନ ସମ୍ଭବ ନୁହେଁ । କିନ୍ତୁ ଏବେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଯେଉଁ ବାଧା ରହିଥିଲା ତାହା ଏକ ପ୍ରକାର ଦୂର ହୋଇଯାଇଛି । 

ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଥିବାରୁ ଏଥର ଏସିଆ କପ୍‌ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଖେଳାଯିବ । ମୋଟ୍‌ ୮ଟି ଦଳ ସାମିଲ ହେବେ । ବିସିସିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ‘ଏସିଆ କପ୍‌ ଆୟୋଜିତ ହେବ । ରାଜୀବ ଶୁକ୍ଳା ଏବଂ ଏସିସି ସଭାପତି ତଥା ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ମୋହସିନ ନକଭି ଶୁବ୍‌ ଶୀଘ୍ର ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଏବଂ ସୂଚୀ ଚୂଡ଼ାନ୍ତ କରିବେ । ଆଗାମୀ କିଛି ଦିନ ମଧ୍ୟରେ ବିସିସିଆଇ ପକ୍ଷରୁ ସୂଚୀ ଘୋଷଣା କରାଯିବ ।’ 

ଢାକାରେ ଆୟୋଜିତ ଏସିସି ବୈଠକରେ ସମସ୍ତ ୨୫ ସଦସ୍ୟ ଯୋଗ ଦେଇଥିଲେ । କିଛି ସଦସ୍ୟ ଭର୍ଚୁଆଲରେ ଯୋଡ଼ି ହୋଇଥିଲେ । ଭାରତୀୟ ଦଳ ପାକିସ୍ତାନ ସହ ଖେଳିବ କି ନାହିଁ, ସେନେଇ ବିସିସିଆଇ କେନ୍ଦ୍ର ସରକାରଙ୍କର ଅନୁମତି ଅପେକ୍ଷାରେ ରହିଛି । ବିସିସିଆଇ ଏଥର ଏସିଆ କପ୍‌ର ଆୟୋଜକ ରହିଛି । 

ଏହା ସତ୍ତେ୍ୱ ବି ଟୁର୍ଣ୍ଣାମେଣ୍ଟ ୟୁଏଇରେ ଆୟୋଜିତ ହେବ । କାରଣ ପୂର୍ବରୁ ଏସିସି ବୈଠକରେ ନିଷ୍ପତ୍ତି ଅନୁସାରେ ଯଦି ଭାରତ କିମ୍ବା ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରନ୍ତି, ତେବେ ଟୁର୍ଣ୍ଣାମେଣ୍ଟ ନିରପେକ୍ଷ ଭେନ୍ୟୁରେ ଖେଳାଯିବ । ତେଣୁ ଏହି ନୀତିରେ ଏଥର ଏସିଆ କପ୍‌ ୟୁଏଇରେ ଆୟୋଜିତ ହେବ । ୟୁଏଇର ମାତ୍ର ୨ଟି ଭେନ୍ୟୁ ଦୁବାଇ ଓ ଆବୁଧାବିରେ ଏସିଆ କପ୍‌ ଖେଳାଯିବ । ଯଦିଓ ପୂର୍ବରୁ ଏମିରେଟ୍ସ କ୍ରିକେଟ୍‌ ବୋର୍ଡ ସହ ବିସିସିଆଇ ୩ଟି ଭେନ୍ୟୁ ପାଇଁ ଚୁକ୍ତି କରିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.