ନୂଆଦିଲ୍ଲୀ: ପରିବେଶ ଏବଂ ଜୈବବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଆଉ ଏକ ପ୍ରମୁଖ ସଫଳତା ହାସଲ କରିଛି। ଅରୁଣାଚଳ ପ୍ରଦେଶର ପ୍ରସିଦ୍ଧ ‘ଗ୍ଲ ହ୍ରଦ’ (Glaw Lake) କୁ ଭାରତର ୧୦୧ତମ ‘ରାମସାର ସାଇଟ୍’ (Ramsar Site) ବା  ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଆର୍ଦ୍ରଭୂମି (Wetland) ଭାବେ ମାନ୍ୟତା ମିଳିଛି। କେନ୍ଦ୍ର ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି।

ଏହା ଅରୁଣାଚଳ ପ୍ରଦେଶର ପ୍ରଥମ ରାମସାର ସାଇଟ୍ ହୋଇଥିବା ବେଳେ ରାଜ୍ୟର ଜୈବବିବିଧତା, ଜଳ ଓ ଜଳବାୟୁ ସୁରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହ୍ରଦଟି ପୂର୍ବ ହିମାଳୟ ଜୈବବିବିଧତା ହଟସ୍ପଟରେ ଅବସ୍ଥିତ। ଏହା ଅରୁଣାଚଳ ପ୍ରଦେଶର କାମଲାଙ୍ଗ ଟାଇଗର ରିଜର୍ଭ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ  ମଧ୍ୟରେ ଏକ ପ୍ରାକୃତିକ ମଧୁର ଜଳ ହ୍ରଦ।

 ଚିରସ୍ରୋତା ଝରଣା ଦ୍ୱାରା ପରିପୁଷ୍ଟ ଏହି ହ୍ରଦଟି ଘଞ୍ଚ ସବୁଜିମାରେ ଆଚ୍ଛାଦିତ। ଏହି ଅଞ୍ଚଳରେ ୧୫୦ରୁ ଅଧିକ ପ୍ରଜାତିର ବୃକ୍ଷ ଏବଂ ୪୯ଟି ନିଆରା ପ୍ରଜାତିର ଅର୍କିଡ୍ (Orchid) ରହିଥିବା ରେକର୍ଡ କରାଯାଇଛି। ଏହା ଅନେକ ପରିବ୍ରାଜକ ପକ୍ଷୀଙ୍କ ଆଶ୍ରୟସ୍ଥଳ ହୋଇଥିବା ସହ ଅଙ୍ଗାରକାମ୍ଳ ଶୋଷଣ , ବନ୍ୟା ନିୟନ୍ତ୍ରଣ ଏବଂ ସ୍ଥାନୀୟ ଲୋକଙ୍କ ନିରନ୍ତର ଜୀବିକାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ନିଜ ସୋସିଆଲ ମିଡିଆ 'X' (ଟ୍ୱିଟର) ପୋଷ୍ଟରେ ଦର୍ଶାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଆର୍ଦ୍ରଭୂମି ସଂରକ୍ଷଣକୁ ବ୍ୟାପକ ପ୍ରାଧାନ୍ୟ ଦିଆଯାଉଛି। ୨୦୧୪ ମସିହାରେ ଭାରତରେ ମାତ୍ର ୨୬ଟି ରାମସାର ସାଇଟ୍ ଥିଲା। ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇ ୧୦୧ ରେ ପହଞ୍ଚିଛି। ଗତ ମାସରେ ସରକାର ଲୋକସଭାରେ ଜଣାଇଥିଲେ ଯେ, ଦେଶର ୪ଟି ନୂଆ ଆର୍ଦ୍ରଭୂମିକୁ ରାମସାର ସାଇଟ୍ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ପଠାଯାଇଛି ।

୧. ଗ୍ଲ ହ୍ରଦ (Glaw Lake) - ଅରୁଣାଚଳ ପ୍ରଦେଶ (ବର୍ତ୍ତମାନ ମାନ୍ୟତା ପ୍ରାପ୍ତ)
୨. ସୁଖନା ଆର୍ଦ୍ରଭୂମି (Sukhna Wetland) - ଚଣ୍ଡୀଗଡ଼
୩. ଗୋସାବାରା-ମୋକାରସାଗର ଆର୍ଦ୍ରଭୂମି କମ୍ପ୍ଲେକ୍ସ - ଗୁଜରାଟ
୪. ସୌଜ ଝିଲ୍ (Sauj Jheel) - ଉତ୍ତର ପ୍ରଦେଶ

ସୂଚନାଯୋଗ୍ୟ, ୧୯୭୧ ମସିହାରେ ଇରାନର 'ରାମସାର' ସହରରେ ସ୍ୱାକ୍ଷରିତ ହୋଇଥିବା ଏକ ଅନ୍ତର୍ଜାତୀୟ ପରିବେଶ ଚୁକ୍ତି ଅନୁଯାୟୀ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମିଗୁଡ଼ିକୁ ସଂରକ୍ଷିତ କରିବା ପାଇଁ 'ରାମସାର ସାଇଟ୍' ମାନ୍ୟତା ଦିଆଯାଇଥାଏ।