ସ୍ପାଇସଜେଟ୍‌ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ, ୫ବର୍ଷ ପାଇଁ ନୋ-ଫ୍ଲାଏ ତାଲିକାରେ ସେନା ଅଧିକାରୀ

Published By : Prameya-News7 Bureau | August 26, 2025 IST

ନୂଆଦିଲ୍ଲୀ – ଶ୍ରୀନଗର ବିମାନ ବନ୍ଦରରେ ୨୬ ଜୁଲାଇରେ ସ୍ପାଇସଜେଟ୍‌ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ। ଜଣେ ବରିଷ୍ଠ ଭାରତୀୟ ସେନା ଅଧିକାରୀଙ୍କୁ ଏୟାରଲାଇନ୍‌ ପାଞ୍ଚ ବର୍ଷ ପାଇଁ ନିଜର ନୋ –ଫ୍ଲାଏ ତାଲିକାଭୁକ୍ତ କରିଛି। ଏହି ଘଟଣା ସହ ଜଡ଼ିତ ଦୁଇ ଜଣ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତି, ଏୟାରଲାଇନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଯାତ୍ରୀଙ୍କୁ ଅଶାନ୍ତ ଘୋଷିତ କରାଯାଇଛି ଏବଂ ତାଙ୍କୁ ସ୍ପାଇସ୍‌ଜେଟ୍‌ର ନୋ-ଫ୍ଲାଏ ତାଲିକାରେ ସାମିଲ କରିବାର ନିଷ୍ପତ୍ତି ନିଆଯାଇଛି। ସେ ଆଗାମୀ ପାଞ୍ଚ ବର୍ଷ ଯାଏ ସ୍ପାଇସଜେଟ୍‌ର କୌଣସି ବି ଘରୋଇ ବା ଅନ୍ତର୍ଜାତୀୟ ଉଡ଼ାଣରେ ଯାତ୍ରା କରି ପାରିବେ ନାହିଁ।

ଆଉ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ନିର୍ଣ୍ଣୟ ସିଭିଲ ଆଭିଏସନ ରୁଲ୍‌ (ସିଏଆର) ଅନୁସାରେ ଗଠିତ କମିଟି ନେଇଛି , ଯିଏକି ସଂପୃକ୍ତ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଥିଲା। କାଶ୍ମୀରରେ ମୁତୟନ ଲେଫ୍ଟେନାଣ୍ଟ କର୍ଣ୍ଣଲ ରାଙ୍କର ଏହି ଅଧିକାରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୧୫ (ସ୍ୱେଚ୍ଛାକୃତ ଭାବେ ଆହାତ ପହଞ୍ଚାଇବା) ଅନୁସାରେ ,ଏଫଆଇଆର ରୁଜୁ କରାଯାଇଛି। ସ୍ପାଇସଜେଟ୍‌ ସିଭିଲ ଆଭିଏସନ ମନ୍ତ୍ରଣାଳୟକୁ ଲେଖି ଥିବା ନିଜର ଚିଠିରେ ଏହି ଘଟଣାକୁ ‘ ହତ୍ୟାକାରୀ ଆକ୍ରମଣ’ ଭାବେ ଦର୍ଶାଇ ଥିଲା।

ପୂରା ମାମଲାଟି ଏମିତି ଥିଲା- 

ଏହି ଘଟଣା ୨୬ ଜୁଲାଇରେ ଶ୍ରୀନଗରରୁ ଦିଲ୍ଲୀ ଯାଉ ଥିବା ସ୍ପାଇସଜେଟ୍‌ର ଉଡ଼ାଣ ଏସଜି ୩୮୬ର ବୋର୍ଡିଂ ଗେଟ୍‌ରେ ଘଟିଥିଲା। ବିବାଦ ସେତେବେଳେ ଆରମ୍ଭ ହେଲା,ଯେତେବେଳେ ବୋର୍ଡିଂ ବେଳେ ସେ ଅତିରିକ୍ତ ସାମଗ୍ରୀ ଶୁଳ୍କ ଦେବାରେ ଅସହମତି ପ୍ରକାଶ କଲେ। ଏୟାରଲାଇନ୍‌ର ଅନୁସାରେ , ଅଧିକାରୀଙ୍କ ପାଖରେ ଦୁଇଟି କେବିନ ବ୍ୟାଗ୍‌ ଥିଲା, ଯାହାର ମୋଟ ଓଜନ ୧୬ କିଲୋଗ୍ରାମ୍‌ ଥିଲା, ଯାହାର ଅନୁମତି ସୀମା ୭ କିଲୋଗ୍ରାମରୁ ଦୁଇ ଗୁଣା ଥିଲା। 

ଏୟାରଲାଇନ୍‌ କହିଛି ଯେ, ଯାତ୍ରୀ ନିୟମ ପାଳନ କରିବାରେ ମନା କରି ଦେଇଛନ୍ତି ଏବଂ ବୋର୍ଡିଂ ପ୍ରକ୍ରିୟା ପୂରା ନକରି ଜବରଦସ୍ତ ଏୟରୋବ୍ରିଜ୍‌ର ପ୍ରବେଶ କରିଯାଇ ଥିଲେ, ଯାହାକି ବିମାନ ସୁରକ୍ଷା ପ୍ରୋଟୋକଲର ଉଲ୍ଲଂଘନ ଥିଲା। ଏହାପରେ, ଜଣେ ସିଆଇଏସଏଫ୍‌  ଅଧିକାରୀ ତାଙ୍କୁ ଗେଟ୍‌ପାଖକୁ ଫେରାଇ ଆଣିଥିଲେ। ଏୟାରଲାଇନ ବୟାନ ଅନୁସାରେ, ଗେଟ୍‌ରେ, ଯାତ୍ରୀ ଖୁବ୍‌ ଜୋରରେ ଆକ୍ରମଣାତ୍ମକ ହୋଇଗଲେ ଏବଂ ସେ ସ୍ପାଇସଜେଟ୍‌ର ଚାରିଜଣ ଗ୍ରାଉଣ୍ଡ ଷ୍ଟାଫ୍‌ ସଦସ୍ୟଙ୍କ ଉପରେ ଶାରୀରିକ ଆକ୍ରମଣ କରିଥିଲେ। ଉକ୍ତ ହମଲାରେ କର୍ମଚାରୀଙ୍କୁ ମେରୁଦଣ୍ଡ ଭାଙ୍ଗିଯାଇଥିଲା ଓ ଦାନ୍ତ ମାଢିରେ ଆଘାତ ଲାଗିଥିଲା। ୩ ଅଗଷ୍ଟରେ ଏହି ଘଟଣାର ଏକ ଭିଡ଼ିଓ ଭାଇରାଲ ହେଲା, ଯେଉଁଥିରେ ଅଧିକାରୀଙ୍କୁ କ୍ୟୁ ଷ୍ଟାଣ୍ଡରେ କର୍ମଚାରୀଙ୍କ ଉପରେ ଆକ୍ରମଣ ହେବାର ଦେଖାଯାଇ ଥିଲା। 

ଆଭିଏସନ ରୁମ୍‌ ଅନୁସାରେ, ଅଶାନ୍ତ ବ୍ୟବହାର କରୁଥିବା ଯାତ୍ରୀଙ୍କ ଉପରେ ତିନି ମାସ , ଛଅ ମାସ ବା ଗୁରୁତର ମାମଲାରେ ସର୍ବନିମ୍ନ ଦୁଇ ବର୍ଷ ବା ଏହାଠାରୁ ଅଧିକ ସମୟ ପାଇଁ ନୋ-ଫ୍ଲାଏ ପ୍ରତିବନ୍ଧକ ଲଗାଯାଇ ପାରେ। ନିୟମାନୁସାରେ, ପ୍ରଭାବିତ ଯାତ୍ରୀ ୬୦ଦିନ ଭିତରେ ଏକ ଆପିଲେଟ୍‌ କମିଟି ସମ୍ମୁଖରେ ଅପିଲ କରି ପାରିବେ। ଯେଉଁଥିରେ ଜଣେ ଅବସରପ୍ରାପ୍ତ ଜିଲ୍ଲା ବା ସେସନ ଜଜ୍‌ , ଦ୍ୱିତୀୟ ଏୟାରଲାଇନ୍‌ର ପ୍ରତିନିଧି ଓ ଜଣେ ଯାତ୍ରୀ ବା ଗ୍ରାହକ ଓକିଲାତି ଗୋଷ୍ଠୀର ସଦସ୍ୟ ଥାଆନ୍ତି। କମିଟିକୁ ୩୦ ଦିନ ମଧ୍ୟରେ ମାମଲାର ନିଷ୍ପତ୍ତି ନେବାକୁ ପଡ଼ିଥାଏ। ଏହାର ନିଷ୍ପତ୍ତି ଏୟାରଲାଇନ୍ସ ପାଇଁ ବାଧ୍ୟତାମୂଳକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.