ମେକ ଇନ୍ ଇଣ୍ଡିଆର ପ୍ରଭାବ; ସ୍ବଦେଶୀକରଣ ପାଇଁ ଗୋଳାବାରୁଦ ଆମଦାନୀ ୧୦ ପ୍ରତିଶତକୁ ଖସିଲା

Published By : Prameya-News7 Bureau | May 17, 2024 IST

indiatoday

ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆ ନୀତି ଅନୁଯାୟୀ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀକରଣ ଯୋଗୁ ଭାରତୀୟ ସେନା ଏହାର ଗୋଳାବାରୁଦ ଆମଦାନୀକୁ ବଜେଟରୁ ୧୦ ପ୍ରତିଶତ କମ୍ କରିଦେଇଛି। ଏନେଇ  ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍‌କାର ଦେଇ ପ୍ରତିରକ୍ଷା ଅଧିକାରୀ କହିଛନ୍ତି “ ବିଭିନ୍ନ ପ୍ରକାର ଗୋଳାବାରୁଦ କିଣିବା ପାଇଁ ସେନାକୁ ୨୦ ହଜାର କୋଟିର ବଜେଟ୍ ଦିଆଯାଇଥାଏ। ଗତ କିଛି ବର୍ଷ ତଳେ ଏଥିରୁ ୪୦ ପ୍ରତିଶତ ଆମଦାନୀ କରାଯାଉଥିଲା। ହେଲେ ବର୍ତ୍ତମାନ ସ୍ବଦେଶୀକରଣ ଯୋଗୁ ବଜେଟ୍‌ରୁ ମାତ୍ର ୧୦ ପ୍ରତିଶତ ଖର୍ଚ୍ଚରେ ଆମଦାନୀ କରାଯାଉଛି।”


ଭାରତରେ ଥିବା ଏକାଧିକ ଘରୋଇ ଶିଳ୍ପ ଓ ପବ୍ଲିକ ସେକ୍ଟର ଫାର୍ମ ଗୋଳାବାରୁଦ ତିଆରି କରିବାରେ ସାହାଯ୍ୟ କରୁଛନ୍ତି। ତେଣୁ ସେନା ଘରୋଇ ବଜାରରୁ ଏହି ଉପକରଣ କିଣୁଥିବାରୁ ବିଦେଶରୁ ଆମଦାନୀ ହ୍ରାସ ପାଇଛି। ଘରୋଇ ଶିଳ୍ପଗୁଡ଼ିକ ଗୋଳାବାରୁଦ ଉତ୍ପାଦନ କରିବାରେ  ସେମାନଙ୍କର ସାମର୍ଥ୍ୟ ଓ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରୁଥିବାରୁ ଆସନ୍ତା କିଛି ବର୍ଷ ମଧ୍ୟରେ ସେନା ସମସ୍ତ ପ୍ରକାରର ଆମଦାନୀ ବନ୍ଦ କରିବାକୁ ଯୋଜନା କରୁଛି ବୋଲି ସେନା ଅଧିକାରୀ କହିଛନ୍ତି।

ଟ୍ୟାଙ୍କ, ଆର୍ଟିଲାରି ଗନ, ରକେଟ୍ ଲଞ୍ଚର, ମଲ୍‌ଟିପଲ ଗ୍ରେନେଡ୍ ଲଞ୍ଚର, ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର ଆଦି ପାଇଁ ସେନା ସ୍ବଦେଶୀ କମ୍ପାନୀରୁ ଗୋଳାବାରୁଦ ଯୋଗାଡ଼ କରିବାକୁ ଯୋଜନା କରୁଛି। ତେବେ କିଛି ବର୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ ଗୋଳାବାରୁଦ ଛଡ଼ା ସେନା ସମ୍ପୂର୍ଣ୍ଣ ଆମଦାନୀ ବନ୍ଦ କରିଦେବ ବୋଲି ସେନା ଅଧିକାରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.