ଟ୍ରମ୍ପଙ୍କ ଶୁଳ୍କ ଆପଲର ଭାରତୀୟ ରପ୍ତାନୀକୁ ପ୍ରଭାବିତ କରିପାରିବ ନାହିଁ: ରିପୋର୍ଟ

Published By : Prameya-News7 Bureau | July 31, 2025 IST

internet

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଶୁଳ୍କ ଭାରତର ଆପଲ ପ୍ରଡକ୍ସନ ଉପରେ ସେତେଟା ପ୍ରଭାବ ପକାଇ ପାରିବ ନାହିଁ। ବରଂ ଓଲଟି ଆମେରିକାବାସୀଙ୍କ ଆପଲ ପ୍ରଡକ୍ଟ ଅଧିକ ମହଙ୍ଗା ହୋଇଯିବ। ଗ୍ରାହକ, ବିଶ୍ଳେଷକ ଏବଂ ଶିଳ୍ପ କାର୍ଯ୍ୟନିର୍ବାହୀଙ୍କ ଠାରୁ ପ୍ରତିକ୍ରିୟା ନେଇ ଏହି ରିପୋର୍ଟ ପ୍ରକାଶ କରିଛି ଇକୋନୋମିକ୍ସ ଟାଇମ୍ସ।

ସବୁଠାରୁ ବଡ଼ କଥା ହେଲା ଆପଲ୍ ପ୍ରାୟତଃ କେବଳ ଆମେରିକା ବଜାରକୁ ସର୍ଭିସ ଦେବା ପାଇଁ ଭାରତରେ ଏହାର ରପ୍ତାନିକୁ ମଜଭୁତ କରୁଛି। ମାର୍ଚ୍ଚ ଏବଂ ମେ ମଧ୍ୟରେ ଭାରତରୁ ଫକ୍ସକନ୍ ଦ୍ୱାରା ରପ୍ତାନୀ ହୋଇଥିବା ପ୍ରାୟ ସମସ୍ତ $୩.୨ ବିଲିୟନ ମୂଲ୍ୟର ଆଇଫୋନ୍ ଆମେରିକାକୁ ଯାଇଛି। ଭାରତ ବର୍ତ୍ତମାନ ବିଶ୍ୱର ମୋଟ ଆଇଫୋନ ଉତ୍ପାଦନର ଏକ ପଞ୍ଚମାଂଶରୁ ଅଧିକ ଉତ୍ପାଦନ କରୁଛି। ଏବଂ ଆମେରିକା ବଜାରରେ ଆପଲ ପ୍ରଡକ୍ଟ ରପ୍ତାନୀ କରିବାରେ ଭାରତ ପଛରେ ପକାଇ ଦେଇଛି। 

ଟ୍ରମ୍ପ ପ୍ରଶାସନ ଏପ୍ରିଲ ମାସରେ ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସକୁ ଜବାବୀ ଶୁଳ୍କରୁ ମୁକ୍ତ କରିଥିଲେ, ଯାହା ଆପଲ୍ ଏବଂ ଏନଭିଡିଆ କର୍ପୋରେସନ ଭଳି କମ୍ପାନୀଗୁଡ଼ିକୁ ଏକ ବଡ଼ ଆଶ୍ୱସ୍ତି ଦେଇଥିଲା। ବର୍ତ୍ତମାନ ଆପଲ ଚୀନ ପ୍ଲସ ରଣନୀତିରେ ଚାଲୁଛି। ଅର୍ଥାତ୍ ପ୍ରଡକ୍ସନ ଏବଂ ସପ୍ଲାଏ ପାଇଁ କମ୍ପାନୀ କେବଳ ଚୀନ ଉପରେ ନିର୍ଭର ନ କରି ବିଭିନ୍ନ ଦେଶରେ ଉତ୍ପାଦନ ଓ ରପ୍ତାନୀ କାର୍ଯ୍ୟ ବଢ଼ାଉଛି। ତେଣୁ ଆପଲର ଏହା ଏକ ଦୂରଦର୍ଶୀ ଯୋଜନା ବୋଲି କମ୍ପାନୀ ସହ ଜଡ଼ିତ ଜଣେ ଅଧିକାରୀ ଇକୋନୋମିକ୍ସ ଟାଇମ୍ସକୁ କହିଛନ୍ତି।

କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ଏପ୍ରିଲରୁ ଜୁନ୍ ମଧ୍ୟରେ ଆମେରିକା ବଜାରରେ ବିକ୍ରି ହୋଇଥିବା ସମସ୍ତ ଆଇଫୋନ୍ ମଧ୍ୟରୁ ୭୧% ଭାରତରୁ ରପ୍ତାନୀ ହୋଇଛି। ଯାହା ଗତ ବର୍ଷ ୩୧% ଥିଲା। ବିଶ୍ଳେଷକମାନେ କହିଛନ୍ତି ଯେ ଟ୍ରମ୍ପଙ୍କ ନୂଆ ଶୁଳ୍କ ସତ୍ତ୍ୱେ, ଭାରତରେ ଆଇଫୋନ ଉତ୍ପାଦନ ତଥାପି କମ୍ ରହିବ। ୮ ବର୍ଷ ପୂର୍ବେ ଯେତେ ଖର୍ଚ୍ଚ ହେଉଥିଲା ତା’ ଠାରୁ କମ ହେବ। ଫଳରେ ଚୀନ ସହିତ ଖର୍ଚ୍ଚ ବ୍ୟବଧାନ କମିବ। ତେଣୁ ଆପଲର ଭାରତ ପ୍ରଡକ୍ସନ ଉପରେ ଟ୍ରମ୍ପଙ୍କ ଶୁଳ୍କ ସେତେଟା ପ୍ରଭାବ ପକାଇ ନପାରେ।

ସବୁଠାରୁ ବଡ଼ କଥା ହେଲା ଭାରତରେ ଆପଲ ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀଗୁଡ଼ିକର ଉପଲବ୍ଧତା ବଢ଼ୁଛି। ତା’ ଛଡ଼ା ଭାରତ ସରକାର ପ୍ରୋତ୍ସାହନରାଶି ଯୋଗାଇ କମ୍ପାନୀକୁ ଏଥିରେ ସହଯୋଗ କରୁଛନ୍ତି। ସେହିପରି ଚୀନ ଠାରୁ ଭାରତରେ ଲେବର କଷ୍ଟ ମଧ୍ୟ କମ୍ ରହୁଛି। ତେଣୁ ଏତେ ସୁବିଧା ପାଉଥିବା ଆପଲ ଟ୍ରମ୍ପଙ୍କ ଶୁଳ୍କ ପାଇଁ ଭାରତକୁ ଅଣଦେଖା କରି ନପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.