ସେ ସିଇସି ହୋଇନଥିଲେ, ତାଙ୍କ ଆଙ୍ଗୁଠି କାଟି ଦେଇଥାନ୍ତି...ଟିଏମସି ସାଂସଦଙ୍କ ବିବାଦୀୟ ମନ୍ତବ୍ୟ

NEWS7
apj abdul kalam biopic to be seen on the big screen

କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଶୁକ୍ରବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯଦି ସିଇସି ଜ୍ଞାନେଶ କୁମାର ସାମ୍ବିଧାନିକ ପଦବୀରେ ନଥାନ୍ତେ, ତେବେ ସେ ତାଙ୍କର ଆଙ୍ଗୁଠି କାଟି ଦେଇଥାନ୍ତେ ବୋଲି କହିଛନ୍ତି କଲ୍ୟାଣ ବାନାର୍ଜୀ । ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କମିଶନର ଜ୍ଞାନେଶ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅତ୍ୟନ୍ତ ଖରାପ ବ୍ୟବହାର କରିଛନ୍ତି।

ଏସଆଇଆର ପରେ ଭୋଟର ତାଲିକାରୁ ନାମ ବାଦ ଦିଆଯିବା ପ୍ରତିବାଦରେ କୋଲକାତାରେ ଆୟୋଜିତ ଏକ ରାଲିରେ ସମର୍ଥକମାନଙ୍କୁ ସମ୍ବୋଧିତ କରି କଲ୍ୟାଣ ବାନାର୍ଜୀ ଏହି ମନ୍ତବ୍ୟ ଦେଇଛନ୍ତି। ଗତ ମାସରେ ମୁଖ୍ୟମନ୍ତ୍ରୀ SIR ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ଜ୍ଞାନେଶ କୁମାରଙ୍କୁ ଭେଟିବା ପାଇଁ ନୂଆଦିଲ୍ଲୀ ଯାଇଥିଲେ । ସେତେବେଳେ ସିଇସି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ହୋଇଥିବା କଥିତ ବିବାଦ ବିଷୟରେ ଶ୍ରୀରାମପୁର ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ‘ସିଇସି ତାଙ୍କ (ମମତା) ସହିତ ବହୁତ ଖରାପ ବ୍ୟବହାର କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଆଙ୍ଗୁଠି ଉଠାଇବାକୁ ସାହସ କରିଥିଲେ। ଯଦି ସେ ସିଇସି (ମୁଖ୍ୟ ନିର୍ବାଚନ କମିଶନର) ହୋଇନଥାନ୍ତେ, ତେବେ ମୁଁ ସେହିଦିନ ତାଙ୍କ ଆଙ୍ଗୁଠି କାଟି ଦେଇଥାନ୍ତି।’

କଲ୍ୟାଣ ବାନାର୍ଜୀଙ୍କ ଏହି ବୟାନ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବିରୋଧୀ ନେତାମାନେ ସାମ୍ବିଧାନିକ ପଦବୀରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ବ୍ୟବହୃତ ଭାଷାକୁ ସମାଲୋଚନା କରିଛନ୍ତି । ଟିଏମସି ସାଂସଦଙ୍କ ଏହି ମନ୍ତବ୍ୟ ଆହୁରି ବିବାଦ ବଢ଼ାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି ।