LIVE TV

ରବିବାରଠୁ ୩୦ ଯାଏଁ ପାଗ ଶୁଖିଲା, ଆଗକୁ ଆସୁଛି ଆଉ ଏକ ଲଘୁଚାପ

NEWS7
weather

ଭୁବନେଶ୍ୱର ୨୮।୦୯ : ରବିବାରଠାରୁ କମିଯିବ ବର୍ଷା। ଅଳ୍ପ କିଛି  ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଅବପାତ ଶ୍ରୀକାକୁଲମ ପାଖରେ ପହଞ୍ଚିବା ପରେ କ୍ରମଶଃ ଦୁର୍ବଳ ହୋଇଛି। ରବିବାର ସନ୍ଧ୍ୟା ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶନିବାର ଭୋର୍‌ ୫ଟାରୁ ଏହି ଅବପାତ ଶ୍ରୀକାକୁଲମ ପାଖରେ  ସ୍ଥଳଭାଗ ଅତିକ୍ରମ କରିଛି। ଏହା ସ୍ଥଳଭାଗ ପାଖରେ ପହଞ୍ଚିବା ମାତ୍ରେ  କ୍ରମଶଃ ଦୁର୍ବଳ ହୋଇଥିଲା । ଏହା  ଆଗକୁ ଆହୁରି ଦୁର୍ବଳ ହୋଇଯିବ ।  ଏଥିପାଇଁ ବର୍ଷା କମିଯିବ । ୩୦ ତାରିଖ  ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ  ପାଗ ଶୁଖିଲା ରହିବ । ମୌସୁମୀ  ପ୍ରଭାବରେ ଅଳ୍ପ କିଛି ସ୍ଥାନରେ ସ୍ୱଳ୍ପ  ବର୍ଷା ହୋଇପାରେ। ୩୦ରେ କେନ୍ଦ୍ରୀୟ  ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର  ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇପାରେ । ୧ ତାରିଖରେ ଏହା ପୁଣି  ଲଘୁଚାପ ରୂପ ନେବ। ୧ ତାରିଖରେ  ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨ରେ  ରାଜ୍ୟତମାମ ସ୍ୱଳ୍ପରୁ ମଧ୍ୟମ ପରିମାଣର  ବର୍ଷା ହୋଇପାରେ। କିଛି ସ୍ଥାନରେ  ଭାରୀ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଭାଗର ଆକଳନ  କହୁଛି, ୨୪ ଘଣ୍ଟାରେ ଅବପାତ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପକୁ ଖସି ଆସିବ । ଏହା ଦୁର୍ବଳ ହେଉଥିବାରୁ ୨୮ ତାରିଖ(ରବିବାର) ଉପକୂଳ  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ୨୯ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା ଅଛି। କିନ୍ତୁ କୌଣସି  ସ୍ଥାନରେ ଅଧିକ ବର୍ଷା ହେବନି ବୋଲି  ପୂର୍ବାନୁମାନ ଦିଆଯାଇଛି ।

୧ତାରିଖରେ  ହେବାକୁ ଥିବା ଲଘୁଚାପ ପ୍ରଭାବରେ  ପୁଣି ବର୍ଷା ବଢ଼ିବ। ଦକ୍ଷିଣ ଓଡ଼ିଶାର କିଛି  ସ୍ଥାନରେ ଅଧିକ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ାଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି  ସ୍ଥାନରେ ଅଧିକ ବର୍ଷା ହୋଇପାରେ ।  ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି  ସହ ବର୍ଷା ସମ୍ଭାବନା ଅଛି। ୨ ଓ ୩  ତାରିଖରେ ଦକ୍ଷିଣ ଓଡ଼ିଶାର ଅନେକ  ସ୍ଥାନରେ ଭାରୀ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ  ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତିମହାନଦୀ ଶାଖା ନଦୀରେ ଜଳସ୍ତର  ବଢିବ, ହେଲେ ବନ୍ୟା ସ୍ଥିତି ରହିବନି ।  ବର୍ଷା ଧୀରେ ଧୀରେ କମିବ ବୋଲି  ଆଇଏମ୍‌ଡି ଆକଳନ କରିଛି । ଗତ  ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ  ଅଧିକ ବର୍ଷା ହୋଇଛି । ୪୯ ବ୍ଲକ୍‌ରେ  ୫୦ ମିମିରୁ ଅଧିକ ବର୍ଷା ହୋଇଛି ।  କାଳିମେଳା ବ୍ଲକ୍‌ରେ ୧୨୧ ମିମି ବର୍ଷା  ହୋଇଛି । ବର୍ଷା ଯୋଗୁ କିଛି ନଦୀର  ଜଳସ୍ତର ବଢୁଛି, କିନ୍ତୁ କୌଣସିଠାରେ  ବିପଦ ସଙ୍କେତ ଛୁଇଁନି । ମହାନଦୀ  ସମେତ ଏହାର ଶାଖା ନଦୀରେ  ଜଳସ୍ତର ବି ବଢ଼ିପାରେ । ଲୁଣାପାଇକା, ଚିତ୍ରୋତ୍ପଳା, ଦୟା, ଭାର୍ଗବୀକୁଆଖାଇ ଓ କାଠଯୋଡ଼ିରେ ଜଳସ୍ତର  ବଢ଼ିବ । ହୀରାକୁଦର ଜଳ ଧାରଣ  କ୍ଷମତା ୬୩୦ ଫୁଟ ଥିବା ବେଳେ  ଆଜି ସକାଳୁ ଜଳସ୍ତର ୬୨୭.୮୫  ଫୁଟ ରହିଛି । ମୁଣ୍ଡୁଳିରେ ଜଳସ୍ତର ବଢ଼ି  ୬ ଲକ୍ଷ କ୍ୟୁସେକ୍‌ ହେବ । ହୀରାକୁଦ  ଗେଟ୍‌ ବନ୍ଦ ପରେ ରବିବାର ସନ୍ଧ୍ୟାରେ  ଜଳସ୍ତର କମିବ ବୋଲି ସେ କହିଛନ୍ତି ।