ଆସୁଛି ଆଉ ଏକ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ସମ୍ଭାବନା

Published By : Prameya-News7 Bureau | August 17, 2025 IST

ଭୁବନେଶ୍ୱର ୧୭।୦୮ : ଆସନ୍ତା ୧୮ ତାରିଖରେ ରାଜ୍ୟରେ ପୁଣି ଏକ ଲଘୁଚାପ  ସୃଷ୍ଟି ସମ୍ଭାବନା ଅଛି । ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ପାଣିପାଗ ବିଭାଗର ଆକଳନ କହୁଛି, ରବିବାର ମାଲକାନଗିରି ଓ କୋରାପୁଟରେ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ  ବି ବର୍ଷା ହେବ । ୨୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ସୋମବାର ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାରେ ଅଧିକ ବର୍ଷା ସମ୍ଭାବନା ଅଛି । ୧୯ ତାରିଖରେ କୋରାପୁଟ ଓ କଳାହାଣ୍ଡିରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, ବଲାଙ୍ଗିର ସମେତ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ  ପ୍ରବଳ ବର୍ଷା ଆକଳନ କରାଯାଇଛି ।

ଗତ ୨୪ ଘଣ୍ଟାରେ ଯାଜପୁରର ବରୀରେ ୮୫.୨ ମିମି ବର୍ଷା ହୋଇଛି । ଶନିବାର ସକାଳରୁ ସନ୍ଧ୍ୟା ଭିତରେ ଢେଙ୍କାନାଳରେ ୧୮.୬, ତାଳଚେରରେ ୧୬.୨ ଓ ପୁରୀରେ ୧୩ମିମି ବର୍ଷା ରେକର୍ଡ ହୋଇଛି ।

 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.