ନୂଆଦିଲ୍ଲୀ ୯।୧୧: ସୁପ୍ରିମକୋର୍ଟ ଦିଲ୍ଲୀ ଏନସିଆରର ସ୍କୁଲ, କଲେଜ, ହସ୍ପିଟାଲ ଓ ବସଷ୍ଟାଣ୍ଡ ଅଞ୍ଚଳରୁ ବୁଲା କୁକୁରଙ୍କୁ ହଟାଇବା ପାଇଁ ଏମସିଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ୮ ସପ୍ତାହ ସମୟ ଦିଆଯାଇଥିବା ବେଳେ ଏହି ଡେଡଲାଇନ ମଧ୍ୟରେ ବୁଲା କୁକୁରଙ୍କୁ ଡଗ୍ ସେଲ୍ଟର ହୋମକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ଆଦେଶ ଡଗ୍ ଲଭରଙ୍କୁ ନିରାଶ କରିଥିବା ବେଳେ ସେମାନେ ରବିବାର ବିରୋଧ ପ୍ରଦର୍ଶନ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ଆଦେଶକୁ ନେଇ ପଶୁ ଅଧିକାର କାର୍ଯ୍ୟକର୍ତ୍ତା ଅମ୍ବିକା ଶୁକ୍ଳା କହିଛନ୍ତି ଯେ ସୁପ୍ରିମକୋର୍ଟ ଦୀପାବଳି ଆତସବାଜୀକୁ ଖୋଲା ଅନୁମତି ଦେଇ କହିଲେ ପ୍ରଦୂଷଣ ନ ହଟୁ, ହେଲେ ପଶୁ ହଟନ୍ତୁ!  ସେ ପ୍ରଶ୍ନ କରିଛନ୍ତି ଯେ ଏହା କିପରି ‘ ବସୁଧୈବ କୁଟୁମ୍ବକମ’ ଯେଉଁଠି କେବଳ ମଣିଷ ବଞ୍ଚିବାର ଅଧିକାର ଅଛି? ସାମ୍ବାଦିକଙ୍କ ସହ ଆଲୋଚନାରେ ଅମ୍ବିକା ଶୁକ୍ଲା କହିଛନ୍ତି ଯେ ଏହା କିପରି ନ୍ୟାୟ, ପଶୁ କାହାର କଣ କରୁଛନ୍ତି? ସେ କହିଛନ୍ତି ଯେ ପଶୁ ବି ଏଠାକାର ନାଗରିକ, ଆମେ ବସୁଧୈବ କୁଟୁମ୍ବକମର କଥା କହୁଛେ ହେଲେ ଏହା କିପରି ବସୁଧୈବ କୁଟୁମ୍ବକମ? ସେ କହିଛନ୍ତି ଯେ କୋର୍ଟ ପ୍ରଥମେ ଶୁଣାଣି କରନ୍ତୁ ଓ ତା ପରେ ଯାଇ ଯାହା ନିଷ୍ପତ୍ତି ନେବେ।

ସେ କହିଛନ୍ତି ଯେ ଏହା ଏପରି ପ୍ରଥମ ନିର୍ଦ୍ଦେଶ ଯାହାର ଫୁଟନୋଟ୍ ରେ ଅସତ୍ୟାପିତ ମିଡିଆ ରିପୋର୍ଟସ ରହିଛି। ଏଥିରେ କୌଣସି ବିଶେଷଜ୍ଞ କମିଟିର ରିପୋର୍ଟ ନାହିଁ କି ବୈଜ୍ଞାନିକ ଡାଟା, ନଗର ପାଳିକା ଡାଟା ଅଥବା ମେଡିକାଲ ରିପୋର୍ଟ ମଧ୍ୟ ନାହିଁ। ସେ କହିଛନ୍ତି ଯେ କୋର୍ଟରେ ଯଦି କୌଣସି ପ୍ରସଙ୍ଗ ଉପସ୍ଥାପନ ହେଉଛି ଶୁଣାଣି ପାଇଁ ସୁଯୋଗ ଦେବା ବି ତ ଦରକାର। ସେ କହିଛନ୍ତି ଯେ କୋର୍ଟରେ ବଡ ବଡ଼ ଓକିଲ ଥିଲେ, ହେଲେ ସେମାନଙ୍କୁ ସୁଯୋଗ ହିଁ ଦିଆଗଲାନି। ସେ କହିଛନ୍ତି ଯେ କୋର୍ଟରେ ଶୁଣାଣି ହୁଏ, ପକ୍ଷ ରଖାଯାଏ, ବିତର୍କ ହୁଏ, ଡାଟା ରଖା ଯାଏ, ଏକ୍ସପର୍ଟଙ୍କ ରାୟ ନିଆଯାଏ ଏହା ପରେ ଯାଇ ସମସ୍ତଙ୍କ ହିତରେ ଦେଶ ଲାଗି ଏକ ଭଲ ନିଷ୍କର୍ଶ ବାହାର କରାଯାଏ।

ତେବେ ଅମ୍ବିକା ଶୁକ୍ଲାଙ୍କ ଏହା ପ୍ରଥମ ବିରୋଧ ନୁହେଁ। ଏହା ପୂର୍ବରୁ ଶନିବାର ଝଣ୍ଡେୱାଲନରେ ପଶୁପ୍ରେମୀମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ସାମିଲ ରିତିକା ଶର୍ମା କହିଥିଲେ ଯେ ଏତେ ପଶୁଙ୍କ ଦେଖାଶୁଣା ନିମନ୍ତେ ନା ତ ଦେଶରେ ପର୍ଯ୍ୟାପ୍ତ ଆଶ୍ରୟ ସ୍ଥଳ ଅଛି ନା କର୍ମଚାରୀ ଅଛନ୍ତି। ସେ କହିଛନ୍ତି ଯେ ପଶୁଙ୍କୁ ସେମାନଙ୍କ ପରିଚିତ ସ୍ଥାନରୁ ହଟାଇଲେ ସେମାନଙ୍କୁ ସମସ୍ୟା ହେବ। ସେମାନଙ୍କୁ ଭୋଜନ ଓ ବନ୍ଧ୍ୟାକରଣର ଆବଶ୍ୟକତା ରହିଛି ରୁଦ୍ଧ ଦ୍ୱାରରେ ରଖିବାକୁ ନୁହେଁ ବୋଲି ସେ କହିଛନ୍ତି।