ପୁରୀ ୨୬।୦୮ : ମଙ୍ଗଳବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ବା ଅନ୍ଧ ଲୀଳା ନୀତି । ଭାଦ୍ରବ ଶୁକ୍ଳ ତୃତୀୟା ତିଥି ଅବସରରେ ଏହି ନୀତି ଅନୁଷ୍ଠିତ ହୋଇଥାଏ। ବାସେଳୀ ସାହି ଏହି ଅନ୍ଧ ମନ୍ଦିର ହାତୀର ପ୍ରସ୍ତାବ କରିଥାନ୍ତି। ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିବେ।
ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢିବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିବେ। ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ବଟମୂଳ ନିକଟରେ ଥିବା ପାଲିଙ୍କିରେ ବିଜେ କରିବେ । ପରେ ବିମାନବଡୁ ସେବକମାନେ ଠାକୁରଙ୍କୁ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖକୁ ନେବେ । ସେଠାରେ ପଡିଥିବା ଖଟ ଉପରେ ଠାକୁର ପାଲିଙ୍କି ସହିତ ବିଜେ ହେବେ।ଏହି ସମୟରେ ଶ୍ରୀଛାମୁରେ ବସେଳୀ ସାହି ଲୋକେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ କରିବେ। ଦ୍ୱାପର ଯୁଗରେ ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିଥିଲେ ଏହି ସ୍ମୃତିକୁ ପ୍ରତିପାଦନ କରାଯାଇଥାଏ। ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ମଣୋହି କରାଯିବ। ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ। ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ଅନ୍ଧକୁ ଚକ୍ଷୁଦାନ ଲୀଳା ନୀତି ଅନୁଷ୍ଠିତ ହେବ ।