ପାଟନା ୨।୧୧: ପୂର୍ବତନ ବିଧାୟକ ତଥା ମୋକାମା ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ରବିବାର ଏମପି, ଏମଏଲଏ କୋର୍ଟରେ ହାଜର କରାଯାଇଛି। ଅପର ଚିଫ୍  ଜୁଡିସିଆଲ ମାଜିଷ୍ଟ୍ରେଟ୍ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅକ୍ଟୋବର ୩୦ ତାରିଖ ଦିନ ଜନସୁରଜ ପାର୍ଟି ସମର୍ଥକ ଦୁଲାରଚନ୍ଦ ଯାଦବଙ୍କ ହତ୍ୟା ହୋଇଥିଲା। ଏହି ଅଭିଯୋଗରେ ଅନନ୍ତ ସିଂହଙ୍କୁ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ମୋକାମାରେ ଦୁଲାରଚନ୍ଦଙ୍କ ହତ୍ୟା ମାମଲାରେ ପାଟନା ପୋଲିସ ଶନିବାର ବିଳମ୍ବିତ ରାତ୍ରିରେ ଅନନ୍ତ ସିଂହଙ୍କୁ ତାଙ୍କ  ବାଢସ୍ଥିତ ଘରୁ ଗିରଫ କରିଥିଲା। ତାଙ୍କୁ ଗିରଫ କରାଯାଇଥିବା ନେଇ ଏସଏସପି କାର୍ତ୍ତିକେୟ କେ.ଶର୍ମା ପୁଷ୍ଟି କରିଥିଲେ। ମୋକାମାରୁ ଅନନ୍ତ ସିଂହଙ୍କୁ ଗିରଫ କରାଯିବା ପରେ ତାଙ୍କୁ ରାଜଧାନୀ ପାଟନା ଅଣାଯାଇଥିଲା। ତାଙ୍କୁ ରବିବାର ପୋଲିସ ଏମପି ଏମଏଲଏ କୋର୍ଟରେ ହାଜର କରିଥିବା ବେଳେ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛି।

ମୋକମାରେ ନଭେମ୍ବର ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଶନିବାର ବିଳମ୍ବିତ ରାତ୍ରିରେ ଗିରଫ ହେବା ପୂର୍ବରୁ ଅନନ୍ତ ସିଂହ ଦିନ ତମାମ ନିର୍ବାଚନ ପ୍ରଚାର କରିଥିଲେ। ରାତିରେ ସେ ସମର୍ଥକଙ୍କ ସହ ବସିଥିବା ବେଳେ ଘରକୁ ପୋଲିସ ପହଞ୍ଚିଥିଲା। ଅନନ୍ତଙ୍କସହିତ ତାଙ୍କର ଦୁଇଜଣ ସେବାଦାରଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଗିରଫ ବେଳେ କୌଣସି ଅପ୍ରିତିକର ପରିସ୍ଥିତି ଆଶଙ୍କାରେ ପାଟନା ପୋଲିସ ୧୫୦ ଜଣିଆ ଏକ ମଜଭୁତ ପୋଲିସ ଫୋର୍ସ ନେଇ ପହଞ୍ଚିଥିଲା। ତେବେ ଅନନ୍ତ ସିଂହ ବିନା କୌଣସି ବିରୋଧରେ ପୋଲିସ ସହ ଘରୁ ଚାଲି ଆସିଥିଲେ।

ଅନନ୍ତ ସିଂହ ବିନା ରୋକଟୋକରେ ପୋଲିସ ସହ ଯିବାକୁ ଉଚିତ ମଣିଥିଲେ। ତେବେ ଏସଏସପି କାର୍ତ୍ତିକେୟନ କହିଛନ୍ତି ଯେ ପୋଲିସ ରିମାଣ୍ଡରେ ଆଣି ଅନନ୍ତ ସିଂହଙ୍କୁ ପଚରା ଉଚରା କରିବ। ଅନନ୍ତଙ୍କ ସହିତ ଲଦମାର ରଞ୍ଜିତ ରାମ ଓ ମଣିକାନ୍ତ ଠାକୁରଙ୍କୁ ମଧ୍ୟ ଗିରଫ କରାଯାଇଛି। ପୋଲିସ ଏବେ ଅନନ୍ତଙ୍କ ଦୁଇ ପୁତୁରା କର୍ମବୀର ଓ ରାଜବୀରଙ୍କ ସମେତ ଛୋଟେନ ଏବଂ  ଅନ୍ୟ ଅଭିଯୁକ୍ତଙ୍କ ଗିରଫ ପାଇଁ ଚଢଉ ଜାରି ରଖିଛି। ପୋଲିସର କହିବା କଥା ହେଉଛି ଦୁଲାରଚନ୍ଦଙ୍କ ହତ୍ୟା ବେଳେ ଘଟଣାସ୍ଥଳରେ ଅନନ୍ତ ସିଂହ ଥିଲେ। ତେବେ ଦୂଲାରଙ୍କ ଉପରେ ଗାଡି କିଏ ଚଢାଇଲା ଓ ଗୁଳି କିଏ କଲା ତାହା ସ୍ପଷ୍ଟ ହୋଇ ନାହିଁ।