ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନ ମହାନ୍ତି ଗିରଫ ହେବା ସହ ନିଲମ୍ବିତ ହେଲା ପରେ ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ବୋର୍ଡରେ ନିଯୁକ୍ତି ନେଇ ପରିବର୍ତ୍ତନ ଆଣିଛନ୍ତି। ଅମୂଲ୍ୟ କୁମାର ପ୍ରଧାନଙ୍କୁ ବୋର୍ଡର ଉପସଭାପତି ପଦରେ ନିଯୁକ୍ତ କରାଯାଇଛି। ଏହା ସହିତ ଚକ୍ରଧର ବେହେରାଙ୍କୁ ନୂଆ ଡେପୁଟି କଣ୍ଟ୍ରୋଲ ଓ ଅମ୍ରିତା ପ୍ରୀତିନନ୍ଦାଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।
ନିହାର ରଞ୍ଜନ ମହାନ୍ତି ଗିରଫ ହେବା ସହ ନିଲମ୍ବିତ ହେଲା ପରେ ବୋର୍ଡର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମୂଲ୍ୟ କୁମାର ପ୍ରଧାନଙ୍କୁ କଟକ ବଦଳି କରିଛନ୍ତି ରାଜ୍ୟ ସରରକାର। ଶ୍ରୀ ପ୍ରଧାନଙ୍କୁ ସରକାର ବୋର୍ଡର ନୂଆ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଚକ୍ରଧର ବେହେରାଙ୍କୁ ନୂଆ ଡେପୁଟି କଣ୍ଟ୍ରୋଲ ଓ ଅମ୍ରିତା ପ୍ରୀତିନନ୍ଦାଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି।
ସୂଚନାଯୋଗ୍ୟ, ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଅଗଷ୍ଟ ୩ ତାରିଖରେ ଗିରଫ କରିଥିଲା। ଏହା ପରେ ତାଙ୍କୁ ୫ ତାରିଖରେ ସସପେଣ୍ଡ କରିଥିଲେ ସରକାର। ନିହାର ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଜେଲରେ ଅଛନ୍ତି। ଘଟଣାରେ ଏ ପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇ ସାରିଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୨୦ରେ OTET ପରୀକ୍ଷା ହେବାର ଥିଲା । କିନ୍ତୁ ୧୯ ତାରିଖରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ବିବାଦ ବଢିବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ତେବେ ନିହାରଙ୍କ ଲାପଟପ୍ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ତନାଘନା । କ୍ରାଇମବ୍ରାଞ୍ଚର ସ୍କାନରକୁ ଆସିଥିଲେ ନିହାର । ଯାହାଙ୍କ ଉପରେ ପରୀକ୍ଷା ପରିଚାଳନାର ପୁରା ଦାୟିତ୍ବ ଥିଲା ସେ କେଳେଙ୍କାରୀ କରି ଗିରଫ ହେବା ଚିନ୍ତାଜନକ ଥିଲା।