News7 Logo

କୋଟିଏ ସୁଭଦ୍ରାରୁ କଟିବେ କେତେ ? ଅଯୋଗ୍ୟ ହିତାଧିକାରୀଙ୍କ ମନରେ ଛନକା

NEWS7
Subhadra scheme

ଭୁବନେଶ୍ଵର: କୋଟିଏରୁ ଅଧିକ ମହିଳା ଏବେ ତିନିଟି କିସ୍ତିରେ ୧୫ହଜାର ଟଙ୍କା ପାଇଛନ୍ତି । ଅନଲାଇନ୍ ଆବେଦନ ବେଳେ ସେମାନେ ଦେଇଥିବା ତଥ୍ୟ ଠିକ୍ ଅଛି କି ନାହିଁ, ଆଗକୁ ତାର ଯାଞ୍ଚ ହେବ । ଯାହାର ଚାରି ଚକିଆ ଯାନ ଥିବ, ଯଦି କେହି ମୃତ୍ୟୁ ବରଣ କରିଥିବେ, ଯିଏ ଧାନ ବିକ୍ରି ପାଇଁ ୫ଏକର ଜମିର ତଥ୍ୟ ଦେଇ ଚାଷୀ ପଞ୍ଜିକରଣ କରିଥିବେ ସେଭଳି ହିତାଧିକାରୀଙ୍କୁ ଏବେ ସୁଭଦ୍ରା ଯୋଜନାରୁ ବାଦ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଏଥି ପାଇଁ ପରିବହନ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଓ ଯୋଗାଣ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ ବିକାଶ ବିଭାଗ । ତେବେ ସୁଭଦ୍ରାରୁ କିଏ କଟିବେ ତାକୁ ନେଇ ଏବେ ହିତାଧିକାରୀଙ୍କ ଭିତରେ ଛନକା । ସେପଟେ ଭତ୍ତା ପାଇଁ ବୟସ ଜାଲିଆତି କରିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେଣି ମନ୍ତ୍ରୀ ।

କୋଟିଏ ସୁଭଦ୍ରାରୁ କଟିବେ କେତେ ଅଯୋଗ୍ୟ ହିତାଧିକାରୀଙ୍କ ମନରେ ଛନକା ।  ପ୍ରକୃତ ତଥ୍ୟ ନଦେଇ ସୁଭଦ୍ରା ଯୋଜନା ହାତେଇଥିବା ହିତାଧିକାରୀଙ୍କ ପଞ୍ଜିକାର ପୋଷ୍ଟମର୍ଟମ କରିବେ ସରକାର । ଘରେ କାର୍ ଥାଇ ତଥ୍ୟ ଲୁଚାଇଥିବା ହିତାଧିକାରୀଙ୍କୁ ଧରାଇଦେବ ପରିବହନ ବିଭାଗ । କେଉଁ ସୁଭଦ୍ରା ହିତାଧିକାରୀ କେବେ କେଉଁ କାର୍ କିଣିଛନ୍ତି, ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ ସେସବୁର ତଥ୍ୟ ଏବେ ପରିବହନ ବିଭାଗ ଡାଟାବେସ୍ରୁ ବାହାର କରାଯିବ । ସେହିଭଳି କୌଣସି ହିତାଧିକାରୀ ଯଦି ମୃତବ୍ୟକ୍ତିଙ୍କ ନାଁରେ କିଛି ଚଞ୍ଚକତା କରିଛନ୍ତି, କିମ୍ବା ହିତାଧିକାରୀଙ୍କ ମୃତ୍ୟୁ ହୋଇଛି ତାହେଲେ ତାର ତଥ୍ୟ ଦେବ ସ୍ବାସ୍ଥ୍ୟ ବିଭାଗ । ମୃତ୍ୟୁବରଣ କରିଥିବା ଲୋକଙ୍କ ନାଁରେ ଡେଥ୍ ସାର୍ଟିଫିକେଟ୍ ଇସ୍ୟୁ ହୋଇଥିବ ଆଉ ସ୍ବାସ୍ଥ୍ୟ ବିଭାଗ  ଡାଟା ବେସରେ ତାର ତଥ୍ୟ ନିଶ୍ଚିତ ଥିବ ।

ସେହିଭଳି ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ବେଳେ ଦେଇଥିବା ଜମି ବାବଦ ତଥ୍ୟରୁ ଧରାପଡ଼ିବେ ଅଯୋଗ୍ୟ ହିତାଧିକାରୀ । ଯେଉଁମାନେ ୫ଏକର କିମ୍ବା ତାଠାରୁ ଅଧିକ ଜମିର ତଥ୍ୟ ଦେଇଥିବେ ସେମାନେ ସୁଭଦ୍ରା ଯୋଜନା ପାଇବାକୁ ଅଯୋଗ୍ୟ । ଏମିତିରେ ସେମାନଙ୍କୁ ଚିହ୍ନଟ କରି ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯିବ । ସୁଭଦ୍ରା ଯୋଜନା ହାତେଇଥିବା ହିତାଧିକାରୀଙ୍କ ଭିତରୁ କିଏ ଅଯୋଗ୍ୟ ସେମାନଙ୍କୁ ଚିହ୍ନଟ କରିବାକୁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ପାଇଁ ପରିବହନ- ସ୍ବାସ୍ଥ୍ୟ ଓ ଯୋଗାଣ ବିଭାଗକୁ ତଥ୍ୟ ଦେବା ଲାଗି ଚିଠି ଲେଖିଛି  ମହିଳା ଓ ଶିଶୁ ବିକାଶ ବିଭାଗ । ଏମିତିରେ ଏବେ କୋଟିଏ ସୁଭଦ୍ରାରୁ କଟିବେ କେତେ ତାକୁ ନେଇ ଅଯୋଗ୍ୟଙ୍କ ମନରେ ପଶିଲାଣି ଛନକା ।

ବ୍ୟବସ୍ଥାର ଗଳାବାଟ ଦେଇ ଅନେକ ଅଯୋଗ୍ୟ ସୁଭଦ୍ରା ଯୋଜନା ହାତେଇଥିବା ବେଳେ ଏବେ ବି ଅନେକ ଯୋଗ୍ୟ ମହିଳା ମୋହନ ସରକାରଙ୍କ ଏହି ଫ୍ଲାଗସିପ୍ ଯୋଜନାରୁ ବଞ୍ଚିତ ଅଛନ୍ତି । ଦେଖନ୍ତୁ, ଇଏ ହେଉଛି ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଟିଟିମିରି ପଞ୍ଚାୟତର ଚିତ୍ର । ଏଠି ଅନେକ ମହିଳା ବିଭିନ୍ନ କାରଣରୁ ସୁଭଦ୍ରା ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ସେପଟେ ଭତ୍ତା ପାଇଁ ଅନେକ ହିତାଧିକାରୀ ବୟସ ଜାଲିଆତି କରୁଥିବା ଜଣାପଡ଼ିଛି । ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଅନେକ ଆଧାରକାର୍ଡ଼ରେ ଜନ୍ମ ତାରିଖ ପରିବର୍ତ୍ତନ କରୁଥିବା ଜଣାପଡ଼ିଛି । ଏମିତିରେ ଭୋଟର ପରିଚୟ ପତ୍ରରେ ସେମାନଙ୍କ ବୟସ ସଂଶୋଧନ କରାଯାଇଛି କି ନାହିଁ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସାମାଜିକି ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ । ୮୦% ଅକ୍ଷମତା କିମ୍ବା ୮୦ବର୍ଷରୁ ଅଧିକ ବୟସ୍କଙ୍କୁ ସାମାଜିକ ସୁରକ୍ଷା ପେନସନ୍ ପରିମାଣ ୩ହଜାର ୫ଶହ ଟଙ୍କା ହେବା ପରେ ଏଭଳି ଚଞ୍ଚକତା ସାମ୍ନାକୁ ଆସିଛି ବୋଲି କହିଛନ୍ତି ମନ୍ତ୍ରୀ ।

ଆଗାମୀ ଦିନରେ ସରକାରୀ ଯୋଜନାରୁ ୧୯ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ । ରାସନ କାର୍ଡ଼ E-KYC ଠାରୁ ଆରମ୍ଭ କରି ଚାଷୀ ପଞ୍ଜିକରଣ ଯାଏଁ ସବୁ କ୍ଷେତ୍ରରେ ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ସରକାର । ​​​​​​​