‘ଇଏ ମୋଦୀଙ୍କ ସରକାର, କାହାକୁ ଛାଡ଼ିବୁନି ଖୋଜି ଖୋଜି ମାରିବୁ’, ଭାରତ ବିରୋଧୀଙ୍କୁ ଶାହଙ୍କ ଚେତାବନୀ

Published By : Prameya-News7 Bureau | May 01, 2025 IST

ନୂଆଦିଲ୍ଲୀ: ' କେବେବି ନିସ୍ତାର ମିଳିବନି । ଇଏ ନରେନ୍ଦ୍ର ମୋଦୀଙ୍କ ସରକାର, ଆତଙ୍କୀଙ୍କୁ ଖୋଜି ଖୋଜି ଜବାବ ଦିଆଯିବ, କାହାକୁ ବି ଛଡ଼ାଯିବନି । ୨୬ ଜଣ ଲୋକଙ୍କୁ ମାରି ଲଢେଇ ଜିତି ଯାଇଛ ବୋଲି ଭାବନି ।' ଭାରତ ବିରୋଧୀ ଏବଂ ଆତଙ୍କବାଦୀଙ୍କୁ ପୁଣି ଥରେ ଚେତାବନୀ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ଭାରତର ଶକ୍ତି ଓ କ୍ଷମତା ନେଇ ପୁଣି ସତର୍କ କରାଇ ଦେଇଛନ୍ତି । ନୂଆ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଆତଙ୍କବାଦୀଙ୍କୁ ସିଧାସଳଖ ପରିଣତି ଭୋଗିବାର ଧମକ ଦେଇଛନ୍ତି ଶାହ ।

ଅମିତ୍ ଶାହ କହିଛନ୍ତି, 'ଆମର ୨୬ ଜଣ ଲୋକଙ୍କୁ ମାରି ଲଢେଇ ଜିତି ଯାଇଛ ବୋଲି ଭାବନି । ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସମସ୍ତଙ୍କୁ ଜବାବ ମିଳିବ ଓ ସମସ୍ତଙ୍କଠାରୁ ଜବାବ ନିଆଯିବ । ଯଦି କେହି କାପୁରୁଷ କାମ କରି ଜିତି ଯାଇଥିବା ଭାବନ୍ତି ତେବେ ସେମାନେ ମନେ ରଖନ୍ତୁ ଖୋଜି ଖୋଜି ପ୍ରତିଶୋଧ ନେବୁ । ଏହା ନରେନ୍ଦ୍ର ମୋଦୀଙ୍କ ଭାରତ ।'

ଗୃହମନ୍ତ୍ରୀ କହିଛନ୍ତି, 'ଆଜି ପୁଣି ଥରେ ସଂକଳ୍ପକୁ ସ୍ମରଣ କରାଇ ଦେଉଛି ଯେ ଆତଙ୍କବାଦ ବିରୋଧରେ ଆମ ଲଢେଇ ଜାରି ରହିବ । ପିଏମ୍ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ସେ ବାମପନ୍ଥୀ ଉଗ୍ରବାଦ ହେଉ ବା କାଶ୍ମୀର ପ୍ରସଙ୍ଗ, ଯଦି କେହି କାପୁରୁଷ କାମ କରନ୍ତି ତେବେ ସେମାନଙ୍କୁ ଛଡ଼ାଯିବ ନାହିଁ ।' ଅମିତ୍ ଶାହ କହିଛନ୍ତି, 'ଇଞ୍ଚିଏ ଲେଖାଏ ଭୂମିରୁ ଆତଙ୍କବାଦକୁ ନିପାତ କରାଯିବ । ଦୁନିଆର ସବୁ ଦେଶ ଆତଙ୍କବାଦ ବିରୋଧରେ ଭାରତ ସହ ଛିଡ଼ା ହୋଇଛନ୍ତି । ଯେପର୍ଯ୍ୟନ୍ତ ଆତଙ୍କବାଦ ଶେଷ ହୋଇନି, ସେପର୍ଯ୍ୟନ୍ତ ସେମାନଙ୍କୁ ଦଣ୍ଡ ଦିଆଯିବ ।'

ଉଲ୍ଲେଖଯୋଗ୍ୟ ଯେ ହଲଗାମ ଆକ୍ରମଣ ପରଠୁ ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ଲଗାତାର କଠୋର ନିଷ୍ପତ୍ତି ନେଉଛି । ସରକାର ବୁଧବାର ପାକିସ୍ତାନ ଏୟାରସ୍ପେସକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହା ପୂର୍ବରୁ ଏପ୍ରିଲ୍ ୨୩ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ ହୋଇଥିଲା । ଏହି ବୈଠକରେ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନିଆଯାଇ ସିନ୍ଧୁ ଜଳ ସନ୍ଧିରୁ ବାତିଲ କରାଯାଇଥିଲା । ଏହାସହ ଭାରତ ଛାଡ଼ିବା ପାଇଁ ପାକିସ୍ତାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.