ନୂଆଦିଲ୍ଲୀ – ମଧ୍ୟ ପ୍ରଦେଶ ସମେତ ଦେଶର କିଛି ରାଜ୍ୟରେ କଫ୍ ସିରପ ପିଇବା ଦ୍ୱାରା ଶିଶୁଙ୍କ ମୃତ୍ୟୁ ଖବର ପରେ ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇ ଯାଇଛି। ଆସିଷ୍ଟାଣ୍ଟ ଡ୍ରଗ୍ କମିଶନର ଦିନେଶ କୁମାର ତିୱାରୀ ମାମଲାକୁ ଗୁରୁତର ସହ ନେଇ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। ଜାରି ଆଦେଶରେ ସବୁ ଔଷଧ ନିରୀକ୍ଷକଙ୍କୁ ସମ୍ୱନ୍ଧିତ ବ୍ୟାଚ୍‌ ବିକ୍ରୟ ବନ୍ଦ କରିବା ସହ ତାଙ୍କର ସାମ୍ପଲ ରାଜ୍ୟ ଔଷଧ ଲାବରେଟୋରୀରେ ଯାଞ୍ଚ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଯୋଗୀ ସରକାର ମଧ୍ୟ ସବୁ ସମ୍ୱନ୍ଧିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲାରେ କୌଣସି ପ୍ରକାରର ସ୍ତରରେ ଅବହେଳା ପ୍ରଦର୍ଶନ କରାନଯାଉ ଏବଂ ରିପୋର୍ଟ ଆସିବା ଯାଏ ଉକ୍ତ କଫ ସିରପ୍‌ର ପ୍ରୟୋଗ ପୂରା ବନ୍ଦ ରଖା ଯାଉ।

ରବିବାର ଆସିଷ୍ଟାଣ୍ଟ ଡ୍ରଗ୍‌ କମିଶନରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ , ମେସର୍ସ ସ୍ରେସନ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ସ୍ୱତନ୍ତ୍ର ବ୍ୟାଚ୍‌ର କୋଲ୍ଡ ଆରଆଇଏଫ୍‌ ସିରପ୍‌ରେ ଡାଇଏଥିଲିନ ଗ୍ଲାଇକାଲ ଓ ଏଥେଲିନ ଗ୍ଲାଇକାଲ ଭଳି ବିଷାକ୍ତ ରାସାୟନିକ ଥିବା ଆଶଙ୍କା ରହିଛି। ଏହି ଦୁଇ ରାସାୟନିକ ଶରୀର ପାଇଁ ଖୁବ୍‌ ବିପଜ୍ଜନକ ଏବଂ ଏହାର ସେବନ ମାରାତ୍ମକ ହୋଇପାରେ।

ତିୱାରୀ ନିଜର ଆଦେଶରେ ସବୁ ଔଷଧ ବିକ୍ରେତା, ସରକାରୀ ଓ ବେସରକାରୀ ହସ୍ପିଟାଲ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉକ୍ତ ବ୍ୟାଚ୍‌ର କଫ୍ ସିରପର ବିକ୍ରି , ବିତରଣ ଓ ଉପଯୋଗ ତତ୍କାଳ ବନ୍ଦ କରାଯାଉ। ଏହାସହ ଦୋକାନ ଓ ହସ୍ପିଟାଲରେ ଉପଲବ୍ଧ ଷ୍ଟକ୍‌ର ସାମ୍ପଲ ଯାଞ୍ଚ ହେତୁ ଲକ୍ଷ୍ନୌ ସ୍ଥିତ ରାଜ୍ୟ ଔଷଧ ଲାବରେଟୋରୀକୁ ତୁରନ୍ତ ପଠାଯାଉ।

ସେ ଔଷଧ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସବୁ ସ୍ଥାନରେ ଔଷଧର ଉପଲବ୍ଧତାର ଯାଞ୍ଚ କରନ୍ତୁ ଏବଂ ସାମ୍ପଲ ଏକତ୍ର କରି ଅନଲାଇନ ରିପୋର୍ଟ ଦାଖଲ କରନ୍ତୁ। ମାନ୍ୟୁଫାକ୍ଚରିଂ ଲାବରେଟୋରୀ ଗୁଡ଼ିକୁ ମଧ୍ୟ କଫ୍‌ ସିରପରେ ପ୍ରଯୁକ୍ତ ପ୍ରୋପଲିନ ଗ୍ଲାଇକାଲର ସାମ୍ପଲର ଯାଞ୍ଚ କରିବାକୁ କୁହାଯାଇଛି।