LIVE TV

ସମୁଦ୍ରରେ ପହଁରିବାକୁ ଯାଇଥିଲେ ଡାଇଭର, ମିଳିଲା ଚତୁର୍ଥ ଶତାବ୍ଦୀର ବ୍ରୋଞ୍ଜ 

NEWS7
Amateur diver finds 50,000 coins

ନୂଆଦିଲ୍ଲୀ: ଇଟାଲିର ସାର୍ଡିନିଆ ଆର୍ଜାଚେନା ସହର ନିକଟବର୍ତ୍ତୀ ଉପକୂଳରେ ପ୍ରତିଦିନ ପରି ପହଁରୁଥିଲେ ଜଣେ ଡାଇଭର। ହଠାତ ତାଙ୍କ ନଜର ପଡିଲା ସମୁଦ୍ର ବାଲି ତଳେ କିଛି ଚିକ୍ମିକ୍ କରୁଥିବା ଜିନିଷ । ପରେ ଅନୁଧ୍ୟାନରୁ ଜଣାପଡିଛି  ଏସବୁ ଚତୁର୍ଥ ଶତାବ୍ଦୀର ବ୍ରୋଞ୍ଜ  ମୁଦ୍ରା । ପ୍ରାରମ୍ଭିକ ଆକଳନ ମୁତାବକ ୩୦ ହଜାରରୁ ୫୦ ହଜାର ଖଣ୍ଡ ରହିଛି । ମୁଦ୍ରାଗୁଡିକ ବେଳାଭୂମି ଓ ପାଣି ତଳେ ସମୁଦ୍ର ଘାସ ମଧ୍ୟରେ ଏକ ବାଲୁକାମୟ ଅଞ୍ଚଳରେ ବିଛାଡି ହୋଇଥିବା ଦେଖିବାକୁ ମିଳିଥିଲା । Earth.comର ରିପୋର୍ଟ ମୁତାବକ  ବିଶେଷଜ୍ଞ ଟିମ୍ ଏହି ଅନୁମାନ ଲଗାଇଛନ୍ତି କି ଉଦ୍ଧାର ହୋଇଥିବା ବ୍ରୋଞ୍ଜ ମୁଦ୍ରାର ଖଣ୍ଡ ଆଫ୍ରିକା ଓ ଏସିଆର ହୋଇପାରେ । ଯାହା ରୋମାନ ସାମ୍ରାଜ୍ୟର ଶେଷ ସମୟରେ ଏହି ମାର୍ଗରେ ବେପାର ବଣିଜର ସଂକେତ ଦିଏ । 

ଇଟାଲୀର ସଂସ୍କୃତି ମନ୍ତ୍ରାଳୟର ପ୍ରତ୍ନତତ୍ତ୍ବବିତ ଲୁଇଗି ଲା ରକ୍କା କହିଛନ୍ତି ଆର୍ଜାଚେନା ସହରରେ ମିଳିଥିବା ବ୍ରୋଞ୍ଜ ମୁଦ୍ରାର ଖଜାନା ବର୍ଷର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ମୁଦ୍ରା ଆବିଷ୍କାର ମଧ୍ୟରୁ ଗୋଟିଏ । ମୁଦ୍ରାଗୁଡିକ ସାର୍ଡିନିଆର ଉତ୍ତର ପୂର୍ବ ଉପକୂଳରେ ବର୍ତ୍ତମାନର ଆର୍ଜାଚେନା ନିକଟରେ ଆବିଷ୍କୃତ ହୋଇଥିଲା । ଏହି ଅଞ୍ଚଳ ସମୁଦ୍ର ତଳେ ଏକ ଅଗଭୀର ସେଲ୍ଫ ଗଠନ କରେ । ଯେଉଁଠି ସ୍ରୋତ ଏପରି ବସ୍ତୁଗୁଡିକୁ ନ ପୋତି ଏକ ବିସ୍ତୃତ ଅଞ୍ଚଳରେ ବିସ୍ତାର କରିପାରେ ।  

ବିଷେଷଜ୍ଞ ଟିମ୍ ଘନ ସମୁଦ୍ରର ଭିତରେ ୨ଟି ସ୍ଥାନ ଚିହ୍ନଟ କରିଛନ୍ତି ଯେଉଁଠି ମୁଦ୍ରାସବୁ ମିଳିଛି । ଚତୁର୍ଥ ଶତାବ୍ଦୀର ଆରମ୍ଭ ଯାଏ ଏହି ମୁଦ୍ରା ରୋମାନ ସାମ୍ରାଜ୍ୟରେ ଗୋଟିଏ ସାମାନ୍ୟ ମୁଦ୍ରା ରୂପରେ ପ୍ରଚଳିତ ଥିଲା ।ଆକାରରେ କ୍ଷୁଦ୍ର ଥିବା ମୁଦ୍ରା ଐତିହାସିକଙ୍କୁ ଅନେକ ସୂଚନା ଦେଇଥାଏ ।ମୁଦ୍ରାଗୁଡିକର ପ୍ରତିଛବି,ଶିଳାଲେଖ,ରାଜନୈତିକ ବାର୍ତ୍ତା ଓ ମୁଦ୍ରା ନିର୍ମାଣ ସ୍ଥାନଗୁଡିକୁ ଚିହ୍ନଟ କରେ ।