News7 Logo

୮ ସେପ୍ଟେମ୍ବରରେ ମୋଦିଙ୍କ ଡିନର, NDAର ସବୁ ସାଂସଦଙ୍କୁ ନିମନ୍ତ୍ରଣ

NEWS7

ନୂଆଦିଲ୍ଲୀ ୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ସେପ୍ଟେମ୍ବର ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏନଡିଏ ସାଂସଦମାନଙ୍କ ନିମନ୍ତେ ୮ ସେପ୍ଟେମ୍ବର ସନ୍ଧ୍ୟାରେ ଏକ ରାତ୍ରଭୋଜ ଆୟୋଜନ କରିଛନ୍ତି। ଏନଡିଏର ଜନୈକ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏପରି ଆୟୋଜନ ପ୍ରାୟତଃ ମେଣ୍ଟର ଏକତାକୁ ମଜଭୁତ କରିବାରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। 

ସେ କହିଛନ୍ତି ଯଦିବି ଆମର ପ୍ରାର୍ଥୀ ସି.ପି.ରାଧାକୃଷ୍ଣନଙ୍କୁ ଏନଡିଏର ସବୁ ସହଯୋଗୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି ତେବେ ଏହି ଆୟୋଜନ ମତଦାନ କାଳରେ ସାଂସଦଙ୍କ ମଧ୍ୟରେ ସମନ୍ୱୟ ଓ ଏକତା ସୁନିଶ୍ଚିତ କରିବାରେ ସହାୟକ ହେବ। ଉପରାଷ୍ଟ୍ରପତି ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ମାଧ୍ୟମରେ ଏକକ ସଂକ୍ରମଣିୟ ମତ ମାଧ୍ୟମରେ ହେବ। ଏଣୁ ନିର୍ବାଚନରେ ଜିତିବାକୁ ହେଲେ କୌଣସି ପ୍ରାର୍ଥୀଙ୍କୁ ଦିଆଯାଇଥିବା ବୈଧ ଭୋଟର ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିବା ଦରକାର। 

ଉଲ୍ଲେଖଯୋଗ୍ୟ ଯେ ଉପରାଷ୍ଟ୍ରପତି ଥିବା ଜଗଦୀପ ଧନଖଡ ଗତ ଜୁଲାଇ ୨୧ ତାରିଖରେ ଅଚାନକ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏଣୁ ଦେଶରେ ଉପରାଷ୍ଟ୍ରପତି ପଦବୀ ନିମନ୍ତେ ଏବେ ନିର୍ବାଚନ ଜରୁରି ହୋଇ ପଡିଛି। ଏଥିପାଇଁ ଶାସକ ଏନଡିଏ ସି.ପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି। ତେବେ ନିର୍ବାଚନରେ ସଂଖ୍ୟାମତ ଅନୁସାରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ଏବେ ସୁନିଶ୍ଚିତ ମନେ କରାଯାଉଛି।