ବେଙ୍ଗାଲୁରୁ:ଦେଶରେ କଂଗ୍ରେସର ବର୍ତ୍ତମାନ ଖରାପ ପରିସ୍ଥିତି ରହିଛି। ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟରେ ନିର୍ବାଚନ ଜିତି ଚାଲିଥିବା ବେଳେ କଂଗ୍ରେସ ଯେଉଁ ରାଜ୍ୟରେ ବି କ୍ଷମତାରେ ଅଛି, ତାକୁ ସମ୍ଭାଳି ପାରୁ ନାହିଁ। କେଉଁଠି ନା କେଉଁଠି ଦଳ ମଧ୍ୟରେ ସବୁବେଳେ କନ୍ଦଳ ଲାଗି ରହିଛି। ଏମିତି କରି ପୂର୍ବରୁ କେତକ ରାଜ୍ୟରେ କଂଗ୍ରେସ ସରକାର ଭାଙ୍ଗିଥିବାର ଉଦାହରଣ ରହିଛି। ଆଉ ଏବେ କର୍ଣ୍ଣାଟକରେ ସେଭଳି ସ୍ଥିତି ଉପୁଜିଛି।

ଡିକେ ଶିବକୁମାର ଓ ସିଦ୍ଧରମେୟାଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଜାରି ରହିଛି। ସିଦ୍ଧରମେୟା ପୂର୍ବରୁ ଏକାଧିକ ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଥିବା ବେଳେ ତଥାପି ତାଙ୍କର କ୍ଷମତା ରହିବାର ଇଚ୍ଛା ବଳବତ୍ତର ରହିଛି। ସେପଟେ ଶିବକୁମାର ଦଳ ପାଇଁ କଠିନ୍ନ ପରିଶ୍ରମ କରି ବି କ୍ଷମତା ନ ପାଇ ପାରିବାରୁ ଅସନ୍ତୋଷର ଅନ୍ତର୍ଦାହରେ ଜଳୁଛନ୍ତି। ହେଲେ କଂଗ୍ରେସ ନେତୃତ୍ୱ ନିରବ ଦ୍ରଷ୍ଟା। ଏବେ ନିକଟରେ ଦଳ ଭିତରେ ଚାଲୁଥିବା ହୋହଲ୍ଲା ଭିତରେ କର୍ଣ୍ଣାଟକରେ ଶାସନ ଭାର ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଲବି କରୁଛନ୍ତି ବୋଲି କୁହାଯାଉଛି।

ତେବେ ଏନେଇ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ. ଶିବକୁମାର। ସେ କହିଛନ୍ତି ଯେ ଗୋଷ୍ଠୀବାଦ ତାଙ୍କ ରକ୍ତରେ ନଥିଲା କି ଏବେ ନାହିଁ। ତେଣୁ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ପୂରଣ କରିବେ ବୋଲି ସେ ପୁଣିଥରେ ଜୋର ଦେଇ କହିଛନ୍ତି। ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଯେ ନିକଟରେ କ୍ୟାବିନେଟ ପୂନର୍ଗଠନ ହେବାର ଅଛି। ଏଥିପାଇଁ କିଛି ବିଧାୟକ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଥିଲେ।

ଶିବକୁମାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ସମସ୍ତ ୧୪୦ ଜଣ ବିଧାୟକ ମୋର ବିଧାୟକ। ଗ୍ରୁପ ତିଆରି କରିବା ମୋ ରକ୍ତରେ ନାହିଁ। ମୁଖ୍ୟମନ୍ତ୍ରୀ ଏବଂ ମୁଁ ଉଭୟ ବାରମ୍ବାର କହିଛୁ ଯେ ଆମେ ହାଇକମାଣ୍ଡର କଥା ମାନିବୁ।”

୨୦୨୩ ମସିହାରେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିବା ପରଠାରୁ, ଦଳ ଏକ ବୋଲି ନିଜକୁ ଦର୍ଶାଉଥିବା ବେଳେ ଶିବକୁମାର ଓ ସିଦ୍ଧରମୈୟାଙ୍କ ମଧ୍ୟରେ କ୍ଷମତା ସଂଘର୍ଷ ଜାରି ରହିଛି। ଅନେକ ଥର ଏହା ସାମ୍ନାକୁ ବି ଆସିଛି। ଏହି ସପ୍ତାହର ଆରମ୍ଭରେ, ଶିବକୁମାରଙ୍କ ବିଶ୍ୱସ୍ତ ବିଧାୟକଙ୍କର ଏକ ଗୋଷ୍ଠୀ ଦିଲ୍ଲୀ ଯାଇ କେନ୍ଦ୍ର ନେତୃତ୍ୱଙ୍କୁ ଭେଟିଥିଲେ। ତେଣୁ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ଅନୁମାନ କରାଯାଉଥିଲା। ଦଳର ଏକ ଗୋଷ୍ଠୀ ଏହାକୁ ନଭେମ୍ବର ବିପ୍ଳବ ବୋଲି କହୁଥିଲେ। ହେଲେ ଶିବକୁମାରଙ୍କର ସ୍ପଷ୍ଟୀକରଣ ଏହି ଚର୍ଚ୍ଚା ଉପରେ ପୁଣିଥରେ ପୁର୍ଣ୍ଣଚ୍ଛେଦ ପକାଇଛି।