ଫରିଦାବାଦ ୧୨।୧୧: ଦିଲ୍ଲୀ ବିସ୍ଫୋରଣ ଓ ଫରିଦାବାଦରୁ ବିସ୍ଫୋରକ ଜବତ ହେବା ଘଟଣାରେ ହରିୟାଣାର ଫରିଦାବାଦ ଜିଲ୍ଲା ଧୌଜ ଗ୍ରାମରେ ଥିବା ଅଲ-ଫଲାହ ୟୁନିଭର୍ସିଟି ବୁଧବାର ପ୍ରଥମ ଥର ମାମଲାରେ ଅଧିକାରୀକ ବୟାନ ଜାରି କରିଛି। ବିଶ୍ୱବିଦ୍ୟାଳୟ ପ୍ରବନ୍ଧନ ଡାକ୍ତରଙ୍କ ଗିରଫରେ ନିଜର ପକ୍ଷ ରଖିଛି। ଭାଇସ ଚାନ୍ସେଲର (ଭିପି) ପ୍ର.ଭୂପିନ୍ଦର କୌର ଆନନ୍ଦ ବୟାନ ଜାରି କରି କହିଛନ୍ତି ଯେ ଆମର ଦୁଇ ଜଣ ଡାକ୍ତର ଡା.ମୁଜମ୍ମିଲ ଓ ଡ. ଶାହିନ ସଇଦ ଗିରଫ ହୋଇଛନ୍ତି। ତେବେ ଆମେ କହି ରଖୁଛୁ ଯେ ସେମାନଙ୍କର ଡ୍ୟୁଟି ବ୍ୟତୀତ ୟୁନିଭର୍ସିଟି ସହିତ କୌଣସି ସମ୍ପର୍କ ନଥିଲା।

ଭିସି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ କୌଣସି ପ୍ରକାରର ବିସ୍ଫୋରକ ଅଥବା କେମିକାଲ ରଖାଯାଏନି। ଆମ ଲ୍ୟାବକୁ କେବଳ ଏମବିବିଏସ ଛାତ୍ରଛାତ୍ରୀଙ୍କ ପାଠପଢା ଓ ଟ୍ରେନିଂ ଦେବା ପାଇଁ ବ୍ୟବହାର କରାଯାଏ। ବିଶ୍ୱବିଦ୍ୟାଳୟ ପ୍ରବନ୍ଧନ ପକ୍ଷରୁ କେବେ କୌଣସି ନିୟମର ଉଲ୍ଲଂଘନ ହୋଇ ନାହିଁ। ଆମେ ସବୁ କାମ ଆଇନ ହିସାବରେ କରିଥାଉ। ଭାଇସ ଚାନ୍ସେଲର କହିଛନ୍ତି ଯେ ଅଲ-ଫଲାହ ଗ୍ରୁପ ୧୯୯୭ ମସିହାରୁ ଅନେକ ସ୍କୁଲ ଓ କଲେଜ ସଞ୍ଚାଳନ କରିଆସୁଛି।

୨୦୦୯ ମସିହାରେ ସଂସ୍ଥା ନିଜର ପାଠ୍ୟକ୍ରମ ଚଳାଇବାକୁ ଅନୁମତି ପ୍ରାପ୍ତ କରିଥିଲା ଓ ୨୦୧୪ ମସିହାରେ ଏହା ଏକ ୟୁନିଭର୍ସିଟିରେ ରୂପାନ୍ତରିତ ହୋଇଥିଲା। ଏହାକୁ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଙ୍କ ମାନ୍ୟତା ମଧ୍ୟ ମିଳିଛି। ଅଲ-ଫଲାହ ହସ୍ପିଟାଲ ୨୦୧୯ରୁ ମେଡିକାଲ କଲେଜ ଚଳାଇ ଆସୁଛି ଓ ଏହା ଭାରତୀୟ ୟୁନିଭର୍ସିଟି ସଙ୍ଗଠନର ସଦସ୍ୟ ମଧ୍ୟ। ଭିସି କହିଛନ୍ତି ଯେ ଆମ ୟୁନିଭର୍ସିଟି ଏମବିବିଏସ୍ ଛାତ୍ରଙ୍କୁ ପାଠ ପଢାଏ। ଏଠାର ଉତୀର୍ଣ୍ଣ ହୋଇଥିବା ଡାକ୍ତର ଏବେ ଦେଶର ବଡ଼ ବଡ଼ ହସ୍ପିଟାଲ ମାନଙ୍କରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

ଭିସି ଉଲ୍ଲେଖ କରିଛନ୍ତି ଯେ ଆମ ବିଶ୍ୱବିଦ୍ୟାଳୟ ୨୦୨୩ ମସିହାରୁ କିଛି ବିଷୟରେ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ କୋର୍ସ (ଏମଡି/ଏମଏସ୍) ମଧ୍ୟ ଆରମ୍ଭ କରିଛି। ନିକଟରେ ଘଟିଥିବା ଘଟଣା ଆମକୁ ଦୁଃଖିତ କରିଛି ଓ ଆମେ ଏହାର କଡ଼ା ନିନ୍ଦା କରୁଛୁ। ଏହି ଘଟଣାରେ ଯେଉଁମାନେ ପ୍ରଭାବିତ ହୋଇଛନ୍ତି ଆମେ ସେମାନଙ୍କ ସମର୍ଥନରେ ଛିଡା ହୋଇଛୁ। ଶୁଣା ଯାଉଛି ଆମର ଦୁଇ ଜଣ ଡାକ୍ତରଙ୍କୁ ଯାଞ୍ଚ ଏଜେନ୍ସୀ ଧରି ନେଇଛି। ତେବେ ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ ଏହି ଲୋକଙ୍କ ସହ ବିଶ୍ୱବିଦ୍ୟାଳୟର କୌଣସି ସମ୍ପର୍କ ନାହିଁ। ତେବେ ସେମାନଙ୍କ ସହ ୟୁନିଭର୍ସିଟିର ସମ୍ପର୍କ ଏତିକି ଯେ ସେମାନେ ଏଠାରେ କାମ କରୁଥିଲେ।

ହେଲେ ୟୁନିଭର୍ସିଟି କିଛି ମିଥ୍ୟା ଅପପ୍ରଚାରକୁ ନେଇ ଚିନ୍ତିତ। ଏହି ସବୁ ଖବର ୱେବସାଇଟ୍ ମାଧ୍ୟମରେ ବ୍ୟାପୁଛି। ତେବେ ଆମେ କହି ରଖୁଛୁ ଏଭଳି ଖବରର ଉଦ୍ଦେଶ୍ୟ ୟୁନିଭର୍ସିଟିର ମାନ କ୍ଷୁର୍ଣ୍ଣ କରିବା। ତେବେ ଆମେ ସବୁ ମିଥ୍ୟା ଆରୋପକୁ ଭୁଲ ବୋଲି କହୁଛୁ।