ହୋର୍ଡିଂରେ ବାପା-ଝିଅଙ୍କ ଫଟୋ, ନାହିଁ ଦଳୀୟ ଚିହ୍ନ : ମୋକିମ୍ କହିଲେ- କର୍ମୀ ଲଗାନ୍ତି

NEWS7
akshay-kumar-aahata-in-an-accident-on-the-sets

କଟକ ୩୧।୧୨: ନୂଆବର୍ଷ ପୂର୍ବରୁ କଟକ ସହରର ରାଜନୀତି ସରଗରମ । କଟକ ସହରରେ ଲାଗିଥିବା ମହମ୍ମଦ ମୋକିମ୍ ଏବଂ ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର୍ । ହୋର୍ଡିଂରେ କଂଗ୍ରେସର ଦଳୀୟ ସଙ୍କେତ ‘ହାତ’ ଚିହ୍ନ ନଥିବା ଦେଖିବାକୁ ମିଳିଛି । ସୋଫିଆଙ୍କ ଫଟୋ ତଳେ ‘ବିଧାୟିକା’ ବୋଲି ଉଲ୍ଲେଖ ରହିଛି । ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଏହି ହୋର୍ଡିଂଟି ଲାଗିଥିବା ଦେଖିବାକୁ ମିଳିଛି ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ୍ । ସେ କହିଛନ୍ତି, ଆମ ସମର୍ଥକ ଏହି ହୋର୍ଡିଂ ଲଗାଇଥାଇପାରନ୍ତି । ସାଧାରଣତଃ ସମର୍ଥକ ମାନେ ହୋର୍ଡିଂ ଲଗାଇଥାନ୍ତି । ସମର୍ଥକ ଆମକୁ କେବେ ଅଲଗା କରିନାହାନ୍ତି । ଆମ ଦୁଇ ଜଣଙ୍କ ପ୍ରତି ସହରବାସୀଙ୍କ ସମର୍ଥନ ରହିଛି । ଅଧିକାଂଶ ସ୍ଥାନରେ ଦଳୀୟ ଚିହ୍ନ, ନେତାଙ୍କ ସହ ସୋଫିଆଙ୍କ ଶୁଭେଚ୍ଛା ହୋର୍ଡିଂ ରହିଛି । ସୋଫିଆଙ୍କ ନିଜସ୍ଵ ପରିଚୟ ରହିଛି । ଦଳୀୟ ଚିହ୍ନର ସବୁବେଳେ ଆବଶ୍ୟକତା ନାହିଁ ।

ସେପଟେ ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ମୋକିମ୍ । ସେ କହିଛନ୍ତି, ବିଜେଡିର ଅନେକ ସେକେଣ୍ଡ ଲାଇନ ଲିଡର ମୋ ସହ ଯୋଗାଯୋଗରେ ରହିଛନ୍ତି । ବିଜେଡିର ଅନେକ ସେକେଣ୍ଡ ଲାଇନ ଲିଡରକୁ ଆୟୁଧ କରି ତାଙ୍କ କାନ୍ଧରେ ସାଂସଦ ନିର୍ବାଚିତ ହେଉଛନ୍ତି, ହେଲେ ସେମାନେ ଆସିପାରୁ ନାହାନ୍ତି । ତେଣୁ ସେହିସବୁ ସେକେଣ୍ଡ ଲାଇନ ଲିଡର ମୋ ସହ ଯୋଗାଯୋଗରେ ଏବଂ ଦଳ ହେଲେ ଆସିବାକୁ ଚାହୁଁଛନ୍ତି । ବିଜେଡିର ଯେଉଁମାନେ ବୟାନବାଜି କରୁଛନ୍ତି ସେମାନେ କେବଳ ବୟାନବାଜି ଭିତରେ ସୀମିତ ନରହି ଆଗକୁ କିଛି କରନ୍ତୁ । ସେମାନଙ୍କ ପରବର୍ତ୍ତୀ ପଦକ୍ଷେପକୁ ଆମେ ଚାହିଁ ରହିଛୁ । ଏହିପରି ବୟାନବାଜି ବିଜେଡି ଲାଗି ଶୁଭଙ୍କର ନୁହେଁ । ତେବେ ଖାଲି ବିଜେଡି ନେତା ନୁହଁନ୍ତି, ଅନ୍ୟ ଦଳ ନେତା ମାନେ ମଧ୍ୟ ଯୋଗାଯୋଗରେ ରହିଛନ୍ତି । ଆଞ୍ଚଳିକ ଦଳ ଲାଗି ଓଡ଼ିଶା ପ୍ରକୃଷ୍ଟ ସ୍ଥାନ । ନବୀନ ବାବୁ କହିଲେ, ବିଜେଡି ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀ ସ୍ୱର ହୋଇ ରହିବ, ଏହି ପ୍ରସଙ୍ଗରେ କହିଲେ ନୂଆ ଆଞ୍ଚଳିକ ଦଳ ହେଲେ ତାର ମଧ୍ୟ ଗ୍ରହଣୀୟତା ରହିବ । ତେବେ ନୂଆବର୍ଷରେ ନୂଆ ସୂଚନା ପାଇବେ ବୋଲି ମହମ୍ମଦ ମୋକିମ୍ ସୂଚନା ଦେଇଛନ୍ତି ।