ନୂଆଦିଲ୍ଲୀ : ଭାରତ ପୁଣି ଥରେ ମାନବିକତାର ପରିଚୟ ଦେଇ ପଡୋଶୀ ଦେଶ ପାକିସ୍ତାନକୁ ବନ୍ୟା ବିପଦରେ ସତର୍କ କରାଇ ଥିଲା , ଏହାପରେ ପାକିସ୍ତାନୀ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇ ପାଖାପାଖି ଦେଢ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ପାରି ଥିଲା। ଜମ୍ମୁ-କାଶ୍ମୀରର ତାୱି ନଦୀରେ ସମ୍ଭାବ୍ୟ ବନ୍ୟାର ଚେତାବନୀ ପରେ ଏହି ପଦକ୍ଷେପ ନିଆଯାଇଛି। ଯାହାର ପ୍ରଭାବ ସୀମା ପାର ପଟେ ପାକିସ୍ତାନରେ ବି ହୋଇପାରେ। ଭାରତର ଏହି ପ୍ରୟାସକୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସଂପର୍କ ସତ୍ତ୍ୱେ ମାନବିକତାର ଏକ ବଡ଼ ଉଦାହରଣ ଭାବେ ମନେକରାଯାଉଛି।
ଭାରତୀୟ ବିଦେଶ ମନ୍ତ୍ରଣାଳୟ ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୋଗ ମାଧ୍ୟମରେ ପାକିସ୍ତାନକୁ ସୂଚିତ କରିଛି ଯେ, ଜମ୍ମୁରେ ତାୱି ନଦୀର ଜଳସ୍ତର ଖୁବ୍ ଜୋରରେ ବଢିବାରେ ଲାଗିଛି, ଯେଉଁଥି ପାଇଁ ବନ୍ୟାର ସ୍ଥିତି ସୃଷ୍ଟି ହୋଇପାରେ। ଏହି ଚେତାବନୀ ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ସରକାରୀ ସ୍ତରୀୟ ଆଲୋଚନା ଭାବେ ସାମ୍ନାକୁ ଆସିଛି। କହି ରଖୁଛୁ ଯେ,ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ସିନ୍ଧୁ ଜଳ ସନ୍ଧିକୁ ଅସ୍ଥାୟୀ ଭାବେ ବାତିଲ କରି ଦେଇଥିଲା । ଏହା ସତ୍ତ୍ୱେ ,ଭାରତ ମାନବୀୟ ଆଧାରରେ ଏହି ପଦକ୍ଷେପ ନେଇଛି। ସୂଚାଇ ଦେଉଛୁ ଯେ, ଭାରତ ପାକିସ୍ତାନକୁ ଏହି ଆଲର୍ଟ କେବଳ ମାନବୀୟ ଆଧାରରେ ଦେଇଛି ଏବଂ ଏହାର ସିନ୍ଧୁ ଜଳ ସନ୍ଧି ସହ କୌଣସି ନେଣ ଦେଣ ନାହିଁ ।
ଭାରତର ଚେତାବନୀ ପରେ ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ( ଏନଡିଏମଏ) ତୁରନ୍ତ ପ୍ରଭାବରେ ବନ୍ୟାର ଆଲର୍ଟ ଜାରି କରିଥିଲା। ପାକିସ୍ତାନର ପଞ୍ଜାବ ପ୍ରଦେଶ ପୂର୍ବରୁ ହିଁ ପ୍ରବଳ ବର୍ଷା ଓ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧିରେ ପ୍ରଭାବିତ । ସେଠାରେ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟକୁ ଦ୍ରୁତ କରିଦିଆ ଯାଇଛି। ପଞ୍ଜାବ ଜରୁରିକାଳୀନ ଉଦ୍ଧାର ସେବା ୧୧୨୨ର ମୁଖପାତ୍ର ଫାରୁକ୍ ଅହମ୍ମଦ କହିଥିଲେ ଯେ କସୁର , ଓକାରା , ପାକପଟ୍ଟନ , ବହାବଲନଗର ଓ ବେହାରୀ ଭଳି ଜିଲ୍ଲାରେ ସିନ୍ଧୁ , ଚିନାବ , ରାବି , ସତଲୁଜ ଓ ଝେଲମ ନଦୀର କୂଳରେ ଥିବା ଗାଁ ଗୁଡ଼ିକରୁ ଗତ ୨୪ ଘଣ୍ଟାରେ ପାଖାପାଖି ୨୦,୦୦୦ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସେ କହିଛନ୍ତି ଯେ, ଭାରତ ଦ୍ୱାରା ଜାରି ବନ୍ୟାର ଚେତାବନୀକୁ ନଜରରେ ରଖି ଏହି ପଦକ୍ଷେପ ଉଠାଯାଇଛି।
ପାକିସ୍ତାନୀ ପ୍ରଶାସନ ତଳିଆ ଅଞ୍ଚଳରେ ରିଲିଫ୍ ଶିବିର ସ୍ଥାପିତ କରିଛି ଏବଂ ଉଦ୍ଧାର ଅଭିଯାନ ପାଇଁ ଯନ୍ତ୍ରପାତି ସହ ଟିମ୍ ଗୁଡ଼ିକ ମୁତୟନ କରିଛି। ଏନଡିଏମଏ ଆଗାମୀ ୪୮ ଘଣ୍ଟାରେ ଆହୁରି ପ୍ରବଳ ବର୍ଷାର ଚେତାବନୀ ମଧ୍ୟ ଜାରି କରିଛନ୍ତି , ଯେଉଁଥି ପାଇଁ ଇସଲାମାବାଦ , ରାୱଲପିଣ୍ଡି , ଲାହୋର ଓ ଗୁଜରାନୱାଲା ଭଳି ସହରରେ ବନ୍ୟାର ବିପଦ ଉପୁଜିଛି।