ସଂଘର୍ଷମୟ ଜୀବନରୁ ଜଣେ ସ୍ଵାବଲମ୍ବୀ ମହିଳା, ମହିଳାଙ୍କ ପାଇଁ ପ୍ରେରଣା ସନ୍ତୋଷୀ ଦେଓ

NEWS7
akash-anand-apologized-to-mayawati-forgive-my-mistake

ଭୁବନେଶ୍ଵର: ସଂଘର୍ଷମୟ ଜୀବନରୁ ଜଣେ ସ୍ଵାବଲମ୍ବୀ ମହିଳା । ସ୍ଵାମୀଙ୍କ ନିର୍ଯାତନା କି ଆର୍ଥିକ ସଙ୍କଟ ତାଙ୍କୁ ଅଟକାଇ ପାରି ନାହିଁ। ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଜି ସେ ନିଜ ଗୋଡ଼ରେ ଛିଡ଼ା ହୋଇ ପ୍ରତ୍ୟେକ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ସ୍ରୋତ। ଏମିତି ଜଣେ ମହିଳା ହେଉଛନ୍ତି କେନ୍ଦୁଝର ଜିଲ୍ଲାର ପ୍ରଥମ ମହିଳା ଗାଡ଼ି ଚାଳକ ସନ୍ତୋଷୀ ଦେଓ ।

କେନ୍ଦୁଝର ଜିଲ୍ଲାର ସନ୍ତୋଷୀ ଦେଓ ସାହସ ଏବଂ ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ପ୍ରତୀକ ଭାବରେ ସାମ୍ନାକୁ ଆସିଛନ୍ତି । ଦୃଢ଼ ସଂକଳ୍ପ ଏବଂ ସୁଯୋଗ ବଳରେ ସେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଯାହାର ପ୍ରଶଂସା ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କରିଛନ୍ତି । ସନ୍ତୋଷୀ ଦେଓ ମାତ୍ର ୧୬ ବର୍ଷ ବୟସରେ ହରିୟାଣାରେ ବିବାହ କରିଥିଲେ । କିନ୍ତୁ ବର୍ଷ ବର୍ଷ ଧରି ଯୌତୁକ ନିର୍ଯାତନା ଏବଂ ଘରୋଇ ହିଂସାର ସମ୍ମୁଖୀନ ହୋଇଥିଲେ। ଶେଷରେ ସ୍ୱାମୀଙ୍କୁ ଛାଡ଼ି ଆସିବାକୁ ନିଷ୍ପତ୍ତି ନେଇଥିଲେ । ଆଉ କୋଳରେ ଥିଲା ତାଙ୍କର ଗୋଟିଏ ଝିଅ ।

ମାଆ ହିସାବରେ ଏକାକୀ ଝିଅର ଲାଳନ ପାଳନ କରିବାକୁ ମନସ୍ଥ କରିଥିଲେ । କିନ୍ତୁ ପାଖରେ କୌଣସି ଆର୍ଥିକ ସହାୟତା ନ ଥିଲା । ତେଣୁ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ଦୃଢ଼ ସଂକଳ୍ପ ନେଇଥିଲେ । ଚେନ୍ନାଇରେ ଜଣେ ମହିଳା ଅଟୋ-ରିକ୍ସା ଚାଳକଙ୍କୁ ଦେଖି ସନ୍ତୋଷୀ ଅନୁପ୍ରାଣିତ ହୋଇଥିଲେ ଏବଂ ଗାଡ଼ି ଚଳାଇବାକୁ ନିଷ୍ପତି ନେଇଥିଲେ ।

୨୦୧୫ ମସିହାରେ କେନ୍ଦୁଝରର ପ୍ରଥମ ମହିଳା ଅଟୋ-ରିକ୍ସା ଚାଳକ ହୋଇ ଲିଙ୍ଗଗତ ପ୍ରତିବନ୍ଧକକୁ ଭାଙ୍ଗିଥିଲେ। ତାଙ୍କର ଆତ୍ମବିଶ୍ୱାସ ଏବଂ ଦକ୍ଷତା ତାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲା । ୨୦୨୧ରେ ସେ ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ମହିଳା ମୋ ବସ୍ ଡ୍ରାଇଭର ଭାବେ ନିଯୁକ୍ତି ପାଇଥିଲେ । ଯାହାକି ଏକ ଇତିହାସ ଥିଲା । ଯାହା ରାଜ୍ୟର ଅନ୍ୟ ମହିଳାମାନଙ୍କୁ ଅଣ-ପାରମ୍ପରିକ ଜୀବିକା ନିର୍ବାହ କରିବାକୁ ପ୍ରେରଣା ଦେଇଥିଲା।

ରୀତି ନୀତିକୁ ବିରୋଧ କରି ସନ୍ତୋଷୀ ଭାରୀ ଯାନ ଚଳାଇବା ପାଇଁ ତାଲିମ ନେଇଥିଲେ । କେନ୍ଦୁଝର ଜିଲ୍ଲାର ତ୍ରିବେଣୀ ପ୍ରାଇଭେଟ୍ ଲିମିଟେଡ୍ ସହିତ କାମ କରି ଗୁଆଲି ସାଇଟରେ ଏକ ୪୦-ମେଟ୍ରିକ୍-ଟନ୍ ଭଲଭୋ ଟ୍ରକ୍ ଚଲାଇଥିଲେ । ସନ୍ତୋଷୀ ତାଙ୍କର ବ୍ୟକ୍ତିଗତ ଜୀବନରେ ଆଇନଗତ ଲଢ଼େଇରେ ନ୍ୟାୟ ପାଇବା ପାଇଁ ଏବଂ ଜାତୀୟ ନେତାମାନଙ୍କ ସମ୍ମୁଖରେ ସ୍ୱର ଉଠାଇବା ପାଇଁ ପ୍ରାୟ ୧୬୦୦ କିଲୋମିଟର ପର୍ଯ୍ୟନ୍ତ ଅଟୋ-ରିକ୍ସା ଚଳାଇ ଦିଲ୍ଲୀରେ ପହଁଚିଥିଲେ । ପରେ ସେ ରାମ ମନ୍ଦିର ଉଦଘାଟନରେ ଯୋଗଦେବା ପାଇଁ କେନ୍ଦୁଝରରୁ ଅଯୋଧ୍ୟା ଅଟୋ ଚଳାଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଏଭଳି ଧୈର୍ଯ୍ୟ ଏବଂ ଦୃଢ଼ ସଂକଳ୍ପ ପାଇଁ ବିଭିନ୍ନ ରାଜ୍ୟରେ ପ୍ରଶଂସା ଅର୍ଜନ କରିଥିଲେ।

ଚଳିକ ମାସରେ ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ତାଙ୍କର ପ୍ରେରଣାଦାୟକ ଜୀବନ କାହାଣୀ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ "କେନ୍ଦୁଝରର ଝିଅ" ଏବଂ ଓଡ଼ିଆ ଗର୍ବ, ସାହସ ଏବଂ ଅଧ୍ୟବସାୟର ଏକ ଉଜ୍ଜ୍ୱଳ ପ୍ରତୀକ ଭାବରେ ପ୍ରଶଂସା କରିଥିଲେ। ପରିବହନ କ୍ଷେତ୍ରରେ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଆମ ସୁବାହକ ଯୋଜନା ମାଧ୍ୟମରେ ସନ୍ତୋଷୀ ଜଣେ ହିତାଧିକାରୀ ହୋଇପାରିଛନ୍ତି । ସନ୍ତୋଷୀ ୧୦ ଲକ୍ଷ ଟଙ୍କା କାର୍ ଋଣରେ ଆଜି ଏକ ଚାରି ଚକିଆ ଯାନ କିଣି ସ୍ୱାବଲମ୍ବୀ ହୋଇଛନ୍ତି ।