ମାଲୋଗାଓଁ ୨୫।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମାଲେଗାଓଁରେ ଦେଇଥିବା ବୟାନ ଏବେ ରାଜନୈତିକ ବିବାଦ ସୃଷ୍ଟି କରିଛି। ସେ ଭୋଟରଙ୍କୁ କହିଛନ୍ତି ଯେ ତୁମ ପାଖରେ ‘ଭୋଟ’ ଅଛି ଆଉ ମୋ ପାଖରେ ‘ପାଣ୍ଠି’, ଯଦି ଭୋଟର ଏନସିପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରନ୍ତି ତେବେ ଧନର ଅଭବ ରହିବ ନାହିଁ। ସେ ଏହା ବି କହିଛନ୍ତି ଯେ ଯଦି ଭୋଟର ଏନସିପି ପ୍ରାର୍ଥୀଙ୍କୁ ସମର୍ଥନ ନ କରନ୍ତି ଓ ‘ଅସ୍ୱୀକାର’ କରନ୍ତି ବଦଳରେ ସେ ମଧ୍ୟ ଭୋଟରଙ୍କୁ ରିଜେକ୍ଟ କରିପାରନ୍ତି । ମାଲେଗାଓଁ ନଗର ପଞ୍ଚାୟତ ନିର୍ବାଚନ ପ୍ରଚାର ଅବସରରେ ପାୱାର ଏହା କହିଛନ୍ତି।

ସେ କହିଛନ୍ତି ଯଦି ଆପଣମାନେ ସମସ୍ତ ୧୮ ଜଣ ଏନସିପି ପ୍ରାର୍ଥୀଙ୍କୁ ବିପୁଳ ମତରେ ନିର୍ବାଚିତ କରନ୍ତି ମୁଁ ଯାହା ବି ପ୍ରତିଶ୍ରୁତି ଦେଉଛି ପୂରଣ କରିବାକୁ ସଂକଳ୍ପବଦ୍ଧ। ଏଥିରେ ଯଦି ତୁମେ ଅସ୍ୱୀକାର କର ମୁଁ ବି ତୁମକୁ ଅସ୍ୱୀକାର କରିଦେବି। ତୁମ ପାଖରେ ଭୋଟ ଅଛି ତ ମୋ ପାଖରେ ଧନ ଅଛି। ଏହି ନିର୍ବାଚନ ପ୍ରଚାରରେ ପାୱାର ତାଙ୍କ ଏନସିପି (ଅ) ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବାକୁ ନିବେଦନ କରିଛନ୍ତି। ବିଜେପି-ଏନସିପି-ଶିବସେନା ସରକାରରେ ରାଜ୍ୟର ଅର୍ଥମନ୍ତ୍ରାଳୟ ସମ୍ଭାଳୁଥିବା ଅଜିତ ପାୱାରଙ୍କ ବୟାନ ଚର୍ଚ୍ଚା ହେବା ପରେ ଏବେ ବିରୋଧୀ ଦଳମାନେ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।

ଶିବସେନା (ଉ) ନେତା ଅମ୍ବାଦାସ ଦାନୱେ ଅଜିତ ପାୱାରଙ୍କ ଉପରେ ଭୋଟରଙ୍କୁ ‘ଧମକାଇବା’ ଓ ‘ଡରାଇବା’ର ଅଭିଯୋଗ ଆଣିଛନ୍ତି। ଦାନୱେ କହିଛନ୍ତି ଯେ ଧନ ସାଧାରଣ ଲୋକଙ୍କ କରରୁ ଆସୁଛି, ଅଜିତ ପାୱାରଙ୍କ ଘରୁ ଆସୁନି। ଏଥିରେ ପାୱାରଙ୍କ ଭଳି ନେତା ଭୋଟରଙ୍କୁ ଖୋଲାଖୋଲି ଧମକ ଦେଉଥିବା ବେଳେ ନିର୍ବାଚନ କମିସନର କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ପାୱାରଙ୍କ ନେତୃତ୍ୱାଧୀନ ଏନସିପି(ଅ) ମାଲେଗାଓଁ ନଗର ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜେପି ସମର୍ଥିତ ପ୍ୟାନେଲ ସହିତ ମେଣ୍ଟ କରିଛନ୍ତି। ଏଠାରେ ଡିସେମ୍ବର ୨ ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ।