ଆଦାନୀ ପାୱାର ପ୍ରୋଜେକ୍ଟର ୨୬% ଅଂଶଧନ କିଣିଲା ରିଲାଏନ୍ସ, ବ୍ୟବସାୟରେ ପ୍ରଥମ ଥର ହାତ ମିଳାଇଲେ ଅମ୍ବାନୀ ଓ ଆଦାନୀ

Published By : Prameya-News7 Bureau | March 28, 2024 IST

ମୁମ୍ବାଇ ୨୮।୧: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନିଜର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଆଦାନୀ ପାୱାର ସହିତ ରାଜିନାମା କରିଛି। ଏହି ରାଜିନାମା ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟପ୍ରଦେଶରେ ଆଦାନୀ ପାୱାରର ଏକ ବିଦ୍ୟୁତ ପ୍ରକଳ୍ପରେ ୨୬ ପ୍ରତିଶତ ଅଂଶଧନ କିଣିଛି। ଦେଶର ଦୁଇ ଦିଗ୍ଗଜ ଉଦ୍ୟୋଗପତିଙ୍କ ମଧ୍ୟରେ କୌଣସି ପ୍ରକାରର କାରବାରର ଏହା ପ୍ରଥମ ଘଟଣା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାୱାର ପ୍ଲାଣ୍ଟରୁ ଉତ୍ପାଦିତ ହେବାକୁ ଥିବା ୫୦୦ ମେଗାୱାଟ ବିଦ୍ୟୁତ ବ୍ୟବହାର କରିବା ପାଇଁ ଆଦାନୀ ପାୱାର ସହିତ ବୁଝାମଣା କରିଛି।

ଏ ନେଇ ଦୁଇ କମ୍ପାନୀ ଷ୍ଟକ୍ ଏକ୍ସଚେଞ୍ଜରେ କରିଥିବା ରେଗ୍ୟୁଲେଟରୀ ଫାଇଲିଂରେ କହିଛନ୍ତି ଯେ ଆଦାନୀ ପାୱାର ଲିମିଟେଡର ମାଲିକାନା ହକ ଥିବା କମ୍ପାନୀ ମହାନ ଏନର୍ଜୀ ଲିମିଟେଡରେ ୧୦ଟଙ୍କା ଅଙ୍କିତ ମୂଲ୍ୟରେ ୫ କୋଟି ଇକ୍ୟୁଟି ସେୟାର କିଣିବ ଓ ଏହା ବଦଳେ ନିଜର ବ୍ୟବହାର ନିମନ୍ତେ ପ୍ରକଳ୍ପରୁ ୫୦୦ ମେଗାୱାଟ୍ ଉତ୍ପାଦନ କ୍ଷମତାର ବ୍ୟବହାର କରିବ। ଗୁଜରାଟର ଏହି ଦୁଇ ଉଦ୍ୟୋଗପତିଙ୍କୁ ପ୍ରତ୍ୟେକ ପ୍ରତ୍ୟେକର ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଏ। 

ଏହି ଦୁଇ ଉଦ୍ୟୋଗପତି ଏସିୟାର ସବୁଠୁ ଧନିଲୋକଙ୍କ ସୂଚୀର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିବା ଲାଗି ଜଣେ ଜଣକର ଆଖପାଖରେ ରହୁଛନ୍ତି। ଏଥିରେ ମୁକେଶ ଅମ୍ବାନୀ ଅଏଲ ଆଣ୍ଡ ଗ୍ୟାସ୍, ରିଟେଲ, ଟେଲିକମ ବିଜନେସ୍ ସହିତ ସମ୍ପୃକ୍ତ ଥିବା ବେଳେ ଆଦାନୀ ସମୂହ ବନ୍ଦରଠାରୁ ଆରମ୍ଭ କରି ଏୟାରପୋର୍ଟ, କୋଇଲା ଓ ଖନନ ପର୍ଯ୍ୟନ୍ତ ବ୍ୟାପ୍ତ ଭିତ୍ତିଭୂମି ବ୍ୟବସାୟରେ ସାମିଲ। ତେବେ ଉଭୟ ଗ୍ରୁପ ଗ୍ରୀନ ଏନର୍ଜୀ ବ୍ୟବସାୟରେ ଜଣେ ଜଣକର ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.