ନୂଆଦିଲ୍ଲୀ: IPL ୨୦୨୫ର ୪୯ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ୧୯.୨ ଓଭରରେ ୧୦ ୱିକେଟ୍ ହରାଇ ୧୯୦ ରନ୍ କରିଛି । ଚେନ୍ନାଇ ପାଇଁ ସାମ୍ କରନ ସର୍ବାଧିକ ୮୮ ରନ୍ କରିଥିଲେ । ଅନ୍ୟପଟେ ପଞ୍ଜାବ କିଙ୍ଗସ୍ ପାଇଁ ୟୁଜବେନ୍ଦ୍ର ଚହଲ ହ୍ୟାଟ୍ରିକ୍ ସହିତ ୪ଟି ୱିକେଟ୍ ନେଇଥିଲେ ।
ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଥିଲା । ପାୱାରପ୍ଲେରେ ହିଁ ତିନୋଟି ୱିକେଟ ହରାଇଥିଲା । ଶେଖ୍ ରସିଦ ୧୨ ବଲରେ ୧୧ ରନ୍, ଆୟୁଷ ମହାତ୍ରେ ୬ ବଲରେ ୭ ରନ୍ ଏବଂ ରବିନ୍ଦ୍ର ଜାଡେଜା ୧୨ ବଲରେ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଡେୱାଲ୍ଡ ବ୍ରେଭିସ୍ ୨୬ ବଲ୍ରେ ୩୨ ରନ୍ କରିପାରିଥିଲେ । ତେବେ ଅଲରାଉଣ୍ଡର ସାମ୍ କରନ ୪୭ ବଲରେ ୮୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । କରନ ତାଙ୍କ ଇନିଂସରେ ୯ଟି ଚୌକା ଏବଂ ୪ଟି ଛକା ମାରିଥିଲେ । ଧୋନୀ ୪ ବଲରେ ୧୧ ରନ୍, ଦୀପକ ହୁଡ଼ା ୨ ରନ କରି ଆଉଟ୍ ହୋଇଥିଲେ ।
ସେପଟେ ପଞ୍ଜାବ ପାଇଁ ଚହଲ ଚମତ୍କାର ବୋଲିଂ କରି ଚେନ୍ନାଇ ସ୍କୋରକୁ ଅନୁମାନଠାରୁ କମରେ ସୀମିତ କରିବାରେ ସଫଳ ହେଲେ । ଚହଲ ତାଙ୍କ ତୃତୀୟ ଓଭରରେ ହ୍ୟାଟ୍ରିକ୍ ସହ ୪ଟି ୱିକେଟ୍ ନେଇଥିଲେ । ଅର୍ଶଦୀପ ସିଂହ, ମାକ୍ରୋ ଅନସେନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ଆଜମାତୁଲ୍ଲାହ, ହରପ୍ରୀତ ବରାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।