୧୯୯୯ ପରେ ପୁଣି ଫେରିଲା ଉପମୁଖ୍ୟମନ୍ତ୍ରୀ ପଦବୀ, ପ୍ରଭାତୀ ପରିଡ଼ା ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 11, 2024 IST

ଭୁବନେଶ୍ଵର: ଓଡ଼ିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ। ମୋହନ ଚରଣ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବେ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା। ଏହା ସହିତ ଦୀର୍ଘ ୨୫ ବର୍ଷ ପରେ ଓଡ଼ିଶାକୁ ଫେରିଛି ଉପମୁଖ୍ୟମନ୍ତ୍ରୀ ପଦ। ଖାସ୍ କରି ଓଡ଼ିଶାରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ପ୍ରଭାତୀ ପରିଡ଼ା। ବିଜେଡିର ୨୪ ବର୍ଷ ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ କୌଣସି ଉପମୁଖ୍ୟମନ୍ତ୍ରୀ ପଦ ରଖି ନ ଥିଲେ। 

Also read: ହାଇକୋର୍ଟ ଆଡଭୋକେଟ୍‌ରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଓଡ଼ିଶା ରାଜନୀତି ଇତିହାସ ଉପରେ ନଜର ପକାଇଲେ ୧୯୭୧ ପଞ୍ଚମ ବିଧାନସଭାରେ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ ବରିଷ୍ଠ ନେତା ନୀଳମଣି ରାଉତରାୟ। ସେ ୧୯୭୨ ଜୁନ ୧୪ରୁ ୧୯୭୩ ମସିହା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ମୋଟ୍ ୨୬୦ ଦିନ ଉପମୁଖ୍ୟମନ୍ତ୍ରୀ ରହିଥିଲେ।  ଏହାପରେ ୧୯୯୫ ଏକାଦଶ ବିଧାନସଭା ନିର୍ବାଚନରେ ଉପମୁଖ୍ୟମନ୍ତ୍ରୀ ପଦବୀ ଫେରିଥିଲା। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ହେମାନନ୍ଦ ବିଶ୍ଵାଳ ଏବଂ ବସନ୍ତ  ବିଶ୍ଵାଳ ୧୯୯୫ ମାର୍ଚ୍ଚ ୧୫ରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ହେମାନନ୍ଦ ବିଶ୍ଵାଳ ୧୯୯୮ ମେ ୯ ପର୍ଯ୍ୟନ୍ତ, ଅର୍ଥାତ ୩ ବର୍ଷ ୫୫ ଦିନ ଉପ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଏହା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ବସନ୍ତ ବିଶ୍ଵାଳ ତାଙ୍କ ଅଧୀନରେ ବି ଉପମୁଖ୍ୟମନ୍ତ୍ରୀ ରହିଥିଲେ। ତେବେ  ସେ ୧୯୯୯ ଫେବୃଆରୀ ୧୭ ପର୍ଯ୍ୟନ୍ତ, ଅର୍ଥାତ ୩ ବର୍ଷ ୩୩୯ ଦିନ ଉପମୁଖ୍ୟମନ୍ତ୍ରୀ ରହି ପଦ ଛାଡ଼ିଥିଲେ। 

ଏବେ ୨୫ ବର୍ଷ ପରେ ୧୭ତମ ବିଧାନସଭାରେ ପୁଣି ଫେରିଛି ଉପମୁଖ୍ୟମନ୍ତ୍ରୀ ପଦ। ଏଥର ବି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଜୁନ ୧୨, ବୁଧବାର ଅପରାହ୍ନରେ ଶପଥ ନେବାକୁ ଯାଉଛନ୍ତି ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଥମ ଥର ବିଧାୟିକା ପ୍ରଭାତୀ ପରିଡ଼ା। ତେବେ ପ୍ରଭାତି ପରିଡ଼ା ଆଉ ଏକ ଅଧ୍ୟାୟ ଲେଖିବାକୁ ଯାଉଛନ୍ତି। ଜଣେ ମହିଳା ଭାବେ ସେ ହେବେ ଓଡ଼ିଶାର ପ୍ରଥମ ଉପମୁଖ୍ୟମନ୍ତ୍ରୀ।   ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ କେବଳ ନନ୍ଦିନୀ ଶତପଥୀ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଭାବେ ସଫଳତା ସହ ନେତୃତ୍ଵ ନେଇଥିଲେ। 

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.