ହାଇକୋର୍ଟ ଆଡଭୋକେଟ୍‌ରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Published By : Prameya-News7 Bureau | June 11, 2024 IST

ଭୁବନେଶ୍ୱର: ସୋମବାର ବିଜେପି ବିଧାୟକ ଧଳ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। କେନ୍ଦୁଝର ସଦର ଆସନରେ ବିଧାୟକ ହୋଇଥିବା ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହ ଦେଓ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମଙ୍ଗଳବାର ବସିଥିବା ବିଜେପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ଘୋଷଣା କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା ପ୍ରଭାତୀ ପରିଡ଼ା ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ପୂର୍ବରୁ କୌଣସି ମହିଳା ଉପମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରି ନଥିଲେ। ତେବେ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ହୋଇସାରିଛନ୍ତି। ପ୍ରଥମ ଥର ବିଧାୟିକା ହୋଇଥିବା ପ୍ରଭାତୀଙ୍କ ଗୋଟିଏ ବିଜୟରେ ଉପମୁଖ୍ୟମନ୍ତ୍ରୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉପମୁଖ୍ୟମନ୍ତ୍ରୀ ହେବା ପରେ ବିଜେପିର ଶୀର୍ଷ ନେତୃତ୍ୱ ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଭାତୀ। ମୋଦୀ ଗ୍ୟାରେଣ୍ଟିକୁ ନେଇ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରିବୁ ପ୍ରଭାତୀ କହିଛନ୍ତି। 

୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ପୁରୀ ନିମାପଡ଼ା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସେ ତାଙ୍କ ନିକଟ ପ୍ରତିଦ୍ୱନ୍ଧୀ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କୁ ପାଖାପାଖି ୪,୫୮୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ। ତାଙ୍କ ବିଜୟ ଯାତ୍ରାରେ ସମୀର ଦାଶଙ୍କ ଭୂମିକା ଥିବା ମଧ୍ୟ ଚର୍ଚ୍ଚା ହେଉଛି। 

ପ୍ରଭାତୀ ପରିଡ଼ା ୧୯୯୫ ମସିହାରେ ଉତ୍କଳ ୟୁନିଭର୍ସିଟିରୁ ଏଲ୍ଏଲ୍‌ବି ପାସ୍ କରିବା ପରେ ସେହି ବର୍ଷ ଓଡ଼ିଶା ହାଇକୋର୍ଟରେ ଆଡ୍‌ଭୋକେଟ୍ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ୨୦୦୫ ମସିହାରେ ସେ ଉତ୍କଳ ୟୁନିଭର୍ସିଟିରେ ପବ୍ଲିକ ଆଡ୍‌ମିନିଷ୍ଟ୍ରେସନ୍‌ରେ ଏମ୍‌ଏ କରିଥିଲେ। ପ୍ରଭାତୀ ପରିଡ଼ା ଶ୍ୟାମ ସୁନ୍ଦର ନାୟକଙ୍କୁ ବିବାହ କରିଛନ୍ତି। ଶ୍ୟାମ ସୁନ୍ଦର ପୂର୍ବରୁ ସରକାରୀ ଚାକିରି କରିଥିଲେ। ତାଙ୍କର ବ୍ୟବସାୟ ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.