ଭଞ୍ଜନଗର ୦୧।୦୯ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବାଇବାଲି ଗାଁ ତୋଟାସାହିରେ ଅଭାବନୀୟ ଘଟଣା । ଘରେ ଶୋଇଥିବା ସମୟରେ ଭୁଶୁଡି ପଡିଲା କାନ୍ଥ । ଯେଉଁଥିରେ ଜଣେ ଅଢେଇ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ବାକି ବାପା ଏବଂ ମାଆ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଶନିବାର ରାତି ତମାମ ଅତିପ୍ରବଳ ବର୍ଷା ହେବାରୁ ମାଟି କାନ୍ଥଟି ବତୁରି ଯିବା ଦ୍ୱାରା ଭୁଶୁଡି ପଡିଛି। ମା ବାପା ଓ ଶିଶୁ ଏକାଠି ଶୋଇଥିବା ବେଳେ ଘଟିଥିଲା ଏଭଳି ଅଘଟଣ। ପରିବାର ଲୋକେ ଉଦ୍ଧାର କରି ସମସ୍ତଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତକୁ ଘୋଷଣା କରିଥିବା ବେଳେ ବାପା ଓ ମା ର ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି l ପୂର୍ବରୁ ହାତୀ ପଲ ଆସି ଘର ଭାଙ୍ଗି ଦେଇଥିଲେ। ବନ ବିଭାଗ ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଜରିପାଲ କି କ୍ଷତିପୂରଣ କିଛି ମିଳିନଥିବା ଅଭିଯୋଗ ହୋଇଛି ।