ନୂଆଦିଲ୍ଲୀ ୧୨।୧୦: ଆଫଗାନିସ୍ତାନ ବିଦେଶମନ୍ତ୍ରୀ ଅମୀର ଖାନ ମୁ୍‌ତ୍ତକୀ ଏବେ ଭାରତ ଗସ୍ତରେ ଅଛନ୍ତି। ଏଠାରେ ତାଙ୍କ କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ହୋଇଛି। ଏଥିରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା ଆଗ୍ରା ଯାଇ ତାଜମହଲ ବୁଲିବା। ତେବେ ଆଫଗାନ ବୈଦେଶିକ ମନ୍ତ୍ରୀ ଶେଷ ପର୍ଯ୍ୟାୟରେ ତାଙ୍କ ଗସ୍ତ ବାତିଲ କରିଦେଇଛନ୍ତି। ଏହା ପଛର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ କୂଟନୈତିକ କାରଣ ଯୋଗୁ ସେ ଏହି ଗସ୍ତ ସେ ଟାଳିଦେଇଥିବା ଜଣାପଡିଛି।

ଆଫଗାନିସ୍ତାନ ବିଦେଶମନ୍ତ୍ରୀ ଅମୀର ଖାନ ମୁତ୍ତକୀଙ୍କ ପ୍ରସ୍ତାବିତ ଆଗ୍ରା ଗସ୍ତ କାର୍ଯ୍ୟକ୍ରମ ଶେଷ ମୁହୂର୍ତ୍ତରେ ରଦ୍ଦ କରିଦିଆଯାଇଛି। କାର୍ଯ୍ୟକ୍ରମ ଅନୁସାରେ ମୁତ୍ତକୀ  ୧୨ ଅକ୍ଟୋବର ରବିବାର ତାଜମହଲ ବୁଲିବାର ଥିଲା ଓ ଅମର ବିକାଶ ହୋଟେଲରେ ତାଙ୍କର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା। ଏଥି ପାଇଁ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଚୂଡ଼ାନ୍ତ କରିସାରିଥିଲେ, ହେଲେ ଅଚାନକ କାର୍ଯ୍ୟକ୍ରମ ବାତିଲ ହୋଇଥିବା ଜଣାପଡିଛି। ଅମୀର ଖାନ ମୁତ୍ତକୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବା ପଛରେ କୂଟନୈତିକ କାରଣ ଥିବା କୁହାଯାଉଛି।

ପ୍ରାୟ ୩୦ ବର୍ଷ ପରେ ଆଫଗାନିସ୍ତାନର କୌଣସି ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି। ଗତ ଦିନରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ତାଙ୍କୁ ଦିଲ୍ଲୀରେ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନାରେ କେତେକ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ ହୋଇଥିଲା। ଏହା ପରେ ମୁତ୍ତକୀ ଦେବବନ୍ଦ ଗସ୍ତ କରିବାର ଥିଲା। ସେଠାରୁ ଫେରିବା ପରେ ସେ ତାଜମହଲ ବୁଲିଥାନ୍ତେ। ଆଫଗାନିସ୍ତାନ ବିଦେଶମନ୍ତ୍ରୀଙ୍କ ତାଜମହଲ ପରିଦର୍ଶନ ନେଇ ପୋଲିସ ଓ ପ୍ରଶାସନ ସୁରକ୍ଷା ପ୍ରସ୍ତୁତି କରିସାରିଥିଲା। ଏଣୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଦାଋଲ ଉଲୁମ ଗସ୍ତକୁ ନେଇ ଆଫଗାନିସ୍ତାନ ବିଦେଶମନ୍ତ୍ରୀ କହିଥିଲେ ଯେ ଯେବେ କିଏ ଦେବବନ୍ଦ ଯାଏ ସେଠାରେ ସେ କଣ କରନ୍ତି? ନମାଜ ପଡ଼ନ୍ତି, ଇସ୍ଲାମିକ ନେତାଙ୍କୁ ଭେଟନ୍ତି ଓ ତାଲିବାନ (ଛାତ୍ର)ଙ୍କ ସହ ମିଶନ୍ତି। ଦେବବନ୍ଦ ଇସ୍ଲାମର ଏକ ଐତିହାସିକ ମରକଜ। ମୁତ୍ତକୀ କହିଛନ୍ତି ଯେ ଦେବବନ୍ଦ ଉଲେମା ଓ ଆଫଗାନିସ୍ତାନ ଉଲେମା ମାନଙ୍କ ମଧ୍ୟରେ ବେଶ୍ ପ୍ରାଚୀନ ସମ୍ପର୍କ ରହିଛି। ଏହି ଦେବବନ୍ଦକୁ ମାନୁଥିବା ଲୋକେ ଆଫଗାନିସ୍ତାନରେ ମଧ୍ୟ ଅଛନ୍ତି।