LIVE TV

୧୭,୦୦୦ କୋଟି ଟଙ୍କାରେ ବିକ୍ରି ହେବ RCB ! ଟିମକୁ କିଣିପାରନ୍ତି ଆଦର ପୁନାୱାଲା

NEWS7
RCB

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭,୦୦୦ କୋଟି ଟଙ୍କାରେ ବିକ୍ରି ହୋଇପାରେ । ମିଡିଆ ରିପୋର୍ଟ ଅନୁସାରେ, ଔଷଧ ନିର୍ମାତା କମ୍ପାନି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ଫ୍ରାଞ୍ଚାଇଜ୍ ଅଧିଗ୍ରହଣ କରିବାକୁ ବିଡ୍ କରୁଛନ୍ତି । ଆଦରଙ୍କ ଏକ୍ସ-ପୋଷ୍ଟ ଆରସିବି ବିକ୍ରି ନେଇ କଳ୍ପନାଜଳ୍ପନାକୁ ଆହୁରି ବଡ଼ କରିଛି ।

ଆଦର ​​ପୁନାୱାଲା ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, "ସଠିକ ମୂଲ୍ୟାୟନରେ, ଆରସିବି ଏକ ମହାନ ଦଳ।" ପୂର୍ବରୁ ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀ ଦାବି କରିଥିଲେ ଯେ ଆରସିବି ମାଲିକମାନେ ଫ୍ରାଞ୍ଚାଇଜକୁ ବିକ୍ରି କରିବାର ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଛନ୍ତି । ତେବେ ଆରସିବିର ମୂଳ କମ୍ପାନି Diageo ଏହାର ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିବ ନା କେବଳ କିଛି ଅଂଶ ବିକ୍ରି କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଡିଆଜିଓ ଏହି ବିଷୟରେ କୌଣସି ବୟାନ ଦେବାକୁ ମନା କରିଦେଇଛି । ଯଦି ଆରସିବି ୧୭,୦୦୦ କୋଟିରେ ବିକ୍ରି ହୁଏ, ତେବେ ଏହା ଆଇପିଏଲ୍ ଇତିହାସର ସବୁଠାରୁ ବଡ଼ ଚୁକ୍ତି ହେବ ।

ଯଦି ଡିଆଜିଓ ଆରସିବିକୁ ବିକ୍ରି କରିବାକୁ ନିଷ୍ପତ୍ତି ନିଏ, ତେବେ ଏହା ଆଇପିଏଲ୍ ଇତିହାସର ସବୁଠାରୁ ବଡ଼ ଚୁକ୍ତି ହେବ । ୨୦୨୧ରେ ଯେତେବେଳେ ଦୁଇ ନୂତନ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଗୁଜରାଟ ଟାଇଟାନ୍ସ ଆଇପିଏଲରେ ସାମିଲ ହୋଇଥିଲେ, ସେତେବେଳେ ଲକ୍ଷ୍ନୌକୁ RPSG ଗ୍ରୁପ୍ ୭,୦୯୦ କୋଟିରେ ଅଧିଗ୍ରହଣ କରିଥିଲା ସେହିପରି ଗୁଜରାଟକୁ ସିଭିସି କ୍ୟାପିଟାଲ୍ ୫,୬୨୫ କୋଟିରେ ଅଧିଗ୍ରହଣ କରିଥିଲା । ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଫ୍ରାଞ୍ଚାଇଜ୍ ଅଧିଗ୍ରହଣ ଥିଲା । ଆରସିବିର ଭାଲ୍ୟୁ ଯଦି ୧୭,୦୦୦ କୋଟି ଟଙ୍କା ହୁଏ ତେବେ ଏହା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଗୁଜରାଟ ଟାଇଟାନ୍ସ ଠାରୁ ବହୁତ ଅଧିକ ।

ଗତ ଜୁନ୍ ୩ରେ ବ୍ଲୁମବର୍ଗ ଏକ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ଦାବି କରାଯାଇଥିଲା ଯେ ୟୁନାଇଟେଡ୍ ସ୍ପିରିଟ୍ସ (USL) ଆରସିବିକୁ ୨ ବିଲିୟନ ଡଲାର ବା ପ୍ରାୟ ୧୭,୦୦୦ କୋଟି ଟଙ୍କାରେ ବିକ୍ରି କରିବାକୁ ବିଚାର କରୁଛି । ତେବେ ୟୁନାଇଟେଡ୍ ସ୍ପିରିଟ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବିକ୍ରୟ ରିପୋର୍ଟକୁ ଅସ୍ୱୀକାର କରିଥିଲା । ଉଲ୍ଲେଖଯୋଗ୍ୟ ଯେ ୟୁଏସଏଲ୍ ପୂର୍ବରୁ ବିଜୟ ମାଲ୍ୟାଙ୍କ ମାଲିକାନାରେ ଥିଲା । ମାଲ୍ୟା ଦେବାଳିଆ ହେବା ପରେ ଏହାକୁ ବ୍ରିଟିଶ ମଦ କମ୍ପାନି ଡିଆଜିଓ ଅଧିଗ୍ରହଣ କରିଥିଲା । ଏହାପରେ ଡିଆଜିଓ ଆରସିବିର ମାଲିକ ହୋଇଗଲା ।

୨୦୦୮ ମସିହାରେ ବିଜୟ ମାଲ୍ୟା ଆରସିବିକୁ ୧୧୧.୬ ନିୟୁତ ଡଲାରରେ କିଣିଥିଲେ । ସେହି ସମୟରେ ଭାରତୀୟ ଟଙ୍କାରେ ଏହା ପ୍ରାୟ ୪୭୬ କୋଟି ଟଙ୍କା ଥିଲା । ସେହି ସମୟରେ ଏହା ଆଇପିଏଲର ଦ୍ୱିତୀୟ ସବୁଠାରୁ ମହଙ୍ଗା ଦଳ ଥିଲା । ୨୦୧୪ ମସିହାରେ ୟୁନାଇଟେଡ୍ ସ୍ପିରିଟ୍ସରେ ଏକ ପ୍ରମୁଖ ଅଂଶଧନ ହାସଲ କରିଥିଲା ଡିଆଜିଓ । ପରେ ୨୦୧୬ରେ ଡିଆଜିଓ ଆରସିବିର ପୂର୍ଣ୍ଣ ମାଲିକାନା ପାଇଥିଲା ।