ବିପଦରେ ସଚିନଙ୍କ ଟେଷ୍ଟ୍ ରେକର୍ଡ, ଭାଙ୍ଗିଦେବେ ରୁଟ୍ : ଦରକାର ମାତ୍ର ୧୧ ସେଞ୍ଚୁରୀ

NEWS7
a-whale-skeleton-thought-to-be-up-to-5000-years-old-has-been-discovered-far-from-sea

ନୂଆଦିଲ୍ଲୀ, ୦୬/୦୧ ବିପଦରେ ସଚିନଙ୍କ ରେକର୍ଡ । ଦିନେ ଯେଉଁ ରେକର୍ଡ ଭାଙ୍ଗିବା ଅସମ୍ଭବ ଲାଗୁଥିଲା ତାହା ଏବେ ସତ ହେବାକୁ ବସିଲାଣି । କୌଣସି ଭାରତୀୟ ନୁହେଁ ସଚିନ ତେନ୍ଦୁଲକରଙ୍କ ଟେଷ୍ଟ୍ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ଇଂଲିଶ ବ୍ୟାଟର ଜୋ ରୁଟ୍ ।

ଚାଲିଛି ଆସେସ ସିରିଜ୍ । ଟୁର୍ଣ୍ଣାମେଣ୍ଟର ପଞ୍ଚମ ମୁକାବିଲାରେ ଶତକ ମାରିଛନ୍ତି ରୁଟ୍ । ଫାବ୍ ୪ ମଧ୍ୟରେ ସେ ପାଲଟିଛନ୍ତି ସବୁଠୁ ସଫଳ ଟେଷ୍ଟ୍ କ୍ରିକେଟର୍ । ଦିନେ ସେ ଲଗାତାର ଅର୍ଥଶତକ ମାରି ଆଉଟ୍ ହେଉଥିଲେ । ଫ୍ୟାନ୍ସ ସମାଲୋଚନା କରୁଥିଲେ । ଅର୍ଧଶତକକୁ ସେଞ୍ଚୁରୀରେ ପରିବର୍ତ୍ତନ ପାଇଁ ରୁଟଙ୍କ ଦକ୍ଷତା ନଥିବା କୁହାଯାଉଥିଲା । ଏବେ କିନ୍ତୁ ସେ ଏହାର ଜବାବ ଦେଇଛନ୍ତି । ତାଙ୍କର ପ୍ରତିଟି ସେଞ୍ଚୁରୀ ସଚିନଙ୍କ ରେକର୍ଡ ପାଖକୁ ଆଉ ପାଦେ ଆଗକୁ ନେଇ ଯାଉଛି ।

ଟେଷ୍ଟ୍ ଦଳର ନେତୃତ୍ୱ ଛାଡିବା ପରେ ରୁଟ୍ ୨୪ଟି ଶତକ ଲଗାଇ ସାରିଛନ୍ତି । ଯାହା ବିଶ୍ୱର ଅନ୍ୟ କୌଣସି ବ୍ୟାଟରଙ୍କଠୁ ବେଶି । ୨୦୨୧ରୁ ୨୦୨୫ ମଧ୍ୟରେ ସେ ଟେଷ୍ଟରେ ୫୯୫୪ ରନ୍ କରିଥିଲେ । ଏହି ସମୟରେ ତାଙ୍କ ଖାତାରେ ୨୩ ସେଞ୍ଚୁରି ଏବଂ ୧୭ ହାଫ୍ ସେଞ୍ଚୁରି ରହିଥିଲା । ଆଭରେଜ୍ ଥିଲା ୫୫ । କିନ୍ତୁ ୨୦୨୨ ପରେ ତାଙ୍କ ଆଭରେଜ୍ ବଢିଥିଲା । ଏପରିକି ୨୦୨୩ରେ ସେ ୭୬.୩୩ ଆଭରେଜରେ ବ୍ୟାଟିଂ କରିଥିଲେ ।

ସଚିନଙ୍କଠୁ ଆଗରେ

ଏବେ ଜୋ ରୁଟଙ୍କୁ ୩୫ ବର୍ଷ ବୟସ ହୋଇଛି । ଏହି ସମୟ ମଧ୍ୟରେ ସେ ୧୪ ହଜାର ପାଖାପାଖି ଟେଷ୍ଟ୍ ରନ୍ କରିଛନ୍ତି । ସଚିନଙ୍କୁ ୩୫ ବର୍ଷ ହୋଇଥିବା ବେଳେ ସେ ୧୧,୩୬୬ ରନ୍ କରିଥିଲେ । ୩୫ବର୍ଷ ପରେ ସଚିନ ଖାତାରେ ୪୫୫୫ ରନ୍ ଯୋଡିଥିଲେ । ଏହାସହ ତାଙ୍କର ମୋଟ୍ ଟେଷ୍ଟ୍ ରନକୁ ୧୫,୯୨୧ରେ ପହଁଚାଇଥିଲେ ।

ତେବେ ବୟସକୁ ନେଇ କିଛି କହିହେବ ନାହିଁ । ରୁଟ୍ କେବେ ବି ଅବସର ନେଇପାରନ୍ତି । ବିରାଟ କୋହଲି ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ଥାଇ ନିଜର ଫେଭରେଟ୍ ଫର୍ମାକୁ ବାଏବାଏ କରିଥିଲେ ।

ସେଞ୍ଚୁରୀ ତାଲିକାରେ ୪ ନମ୍ବର

ଜୋ ରୁଟ୍ ଏବେସୁଦ୍ଧା ୪୧ଟି ଶତକ ଲଗାଇ ସାରିଛନ୍ତି । ଏହାସହ ଟେଷ୍ଟ୍ ଶତକ ତାଲିକାରେ ୪ ନମ୍ବରରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରିକି ପଣ୍ଟିଂ ମଧ୍ୟ ୪୧ଟି ଶତକ ଲଗାଇ ତିନି ନମ୍ବର ସ୍ଥାନରେ ରହିଛନ୍ତି । ସେହପିର ଜ୍ୟାକ୍ କାଲିସ୍ ୪୫ଟି ଟେଷ୍ଟ୍ ଶତକ ଲଗାଇଥିବା ବେଳେ ସଚିନ ତେନ୍ଦୁଲକର ୫୧ଟି ଟେଷ୍ଟ୍ ସେଞ୍ଚୁରୀ ମାରି ପ୍ରଥମ ସ୍ଥାନରେ ରହିଛନ୍ତି । ଅର୍ଥାତ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ହେବେ ରୁଚଙ୍କୁ ଆଉ ୧୧ଟି ଶତକ ଲଗାଇବାକୁ ପଡିବ । ଯଦି ସେ ନିଜ ଫର୍ମ ଜାରି ରଖନ୍ତି ତାହାଲେ ଖୁବ୍ କମ୍ ଦିନରେ ମାଷ୍ଟରବ୍ଲାଷ୍ଟରଙ୍କ ରେକର୍ଡ ଭାଙ୍ଗିପାରନ୍ତି ।