କୋଣାର୍କ: ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ମହିଳାଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଉଛି ଗୋପ ଥାନା ନୂଆହାଟ ଅଞ୍ଚଳ କୋରୁଆଳ ଗ୍ରାମର ସମୀର ରଞ୍ଜନ ସାହୁ । ମୋବାଇଲ ଟ୍ରାକ କରି ତାକୁ ସମୀରକୁ ତା’ର ଘରୁ ଉଠାଇ ଆଣିଛି ଗୋପ, କୋଣାର୍କ, ଚାରିଛକ ଥାନା ଏବଂ ସ୍ପେଶାଲ ସ୍କ୍ୱାଡ। ତେବେ ଅଧିକ ତଦନ୍ତ ପାଇଁ ସମୀରକୁ ରାମଚଣ୍ଡୀ ପୁଲିସକୁ ହସ୍ତାନ୍ତର କରାଯାଇଛି।

ସୂଚନାଥାଉକି, ସୋମବାର ଅପରାହ୍ଣରେ କଇଁଛ ଘର ନିକଟ ସମୁଦ୍ରକୂଳରେ ଜଣେ ମହିଳାଙ୍କ ତଣ୍ଟିକାଟି ହତ୍ୟା ଉଦ୍ୟମ କରାଯାଇଥିଲା। ସେ ହେଲେ ଜଗତସିଂହପୁର ଜିଲ୍ଲା ମଙ୍ଗଳପୁର ଗ୍ରାମର ମାନସ ଭୋଇଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା (୩୦) । ଦୁଇ ହାତ ବନ୍ଧା ହୋଇ ମୁର୍ମୂଷୁ ଅବସ୍ଥାରେ ମହିଳା ଜଣଙ୍କ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଟୁରିଷ୍ଟ ପିସିଆର୍‌ ଓ ମେରାଇନ୍‌ ଥାନା ଅଧିକାରୀ ପ୍ରତିମା ସାହୁ ପହଞ୍ଚି ତାଙ୍କୁ ପ୍ରଥମେ କୋଣାର୍କ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ନିମାପଡ଼ା ଏସ୍‌ଡିପିଓ ଜନାର୍ଦ୍ଦନ ପାଢ଼ୀ, ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ୍‌ ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ମହିଳାଙ୍କ ଚପଲ, ଭ୍ୟାନିଟି ବ୍ୟାଗ୍‌, ଧୂପକାଠି ପ୍ୟାକେଟ ଓ ଏକ ପଥର ଜବତ କରାଯାଇଛି । ଲକ୍ଷ୍ମୀପ୍ରିୟାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କଟାଯାଇଛି। ଡାହାଣ ପଟ ଆଖିରେ ଗଭୀର କ୍ଷତ ହୋଇଛି ।

ଲକ୍ଷ୍ମୀପ୍ରିୟା ପୁଲିସ୍‌କୁ ଦେଇଥିବା ବୟାନ ଅନୁଯାୟୀ, ସେ ପରିବାର ସହ ଜଗତସିଂହପୁରରେ ରୁହନ୍ତି । ୪ ବର୍ଷର ପୁଅକୁ ସ୍କୁଲରେ ଛାଡ଼ି ସ୍ୱାମୀ କାମକୁ ଯାଇଥିବାବେଳେ ପାଖ ଗ୍ରାମର କେତେକ ଲୋକଙ୍କ ସହ ଏକ ଅଟାରେ ଜଗତସିଂହପୁରରୁ ରାମଚଣ୍ଡୀ ମନ୍ଦିରକୁ ବୁଲିବାକୁ ଆସିଥିଲେ।

କୋଣାର୍କ ନିକଟରେ ଜଣେ ଅଘୋରି ବାବାଙ୍କ ନିକଟକୁ ସେମାନଙ୍କ କଥାରେ ଆସିଥିଲେ। ସାଥୀରେ ଆସିଥିବା ଅନ୍ୟ ବ୍ୟକ୍ତିମାନେ ତାଙ୍କୁ ରାମଚଣ୍ଡୀ ବୁଲାଇବାକୁ କହି ସମୁଦ୍ରକୂଳରେ ଥିବା ନିଛାଟିଆ ସ୍ଥାନକୁ ଆଣିବାରୁ ସେ ବିରୋଧ କରିଥିଲେ। ପରେ ଦୁର୍ବୃତ୍ତମାନେ ହାତକୁ ଲୁଗାରେ ବାନ୍ଧି ଆକ୍ରମଣ କରିଥିଲେ । ପରେ ଏକ ନିଛାଟିଆ ଝାଉଁଗଛ ତଳେ ଫିଙ୍ଗି ଫେରାର୍‌ ହୋଇ ଯାଇଥିଲେ।