ମୋହନା ୧: ଅଙ୍ଗଦାନ ମହତ ଦାନ l ଅଙ୍ଗଦାନ କରି ଏବେ ଚର୍ଚ୍ଚାରେ ଅଛନ୍ତି ଗଜପତି ଜିଲ୍ଲା ମୋହନା ଥାନା ଖାରିଗୁମ୍ମା ଗାଁର ମହିଳା ଅବଳା ପାଳ l ଦୁର୍ଘଟଣା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ପରେ ଅଙ୍ଗଦାନ କରିଛନ୍ତି l ତେବେ ଗାଁରେ ତାଙ୍କର ମରଶରୀର ପହଞ୍ଚିବା ପରେ ସ୍ଥାନୀୟ ପୋଲିସ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ ଅନର l

ସୂଚନାଯୋଗ୍ୟ ଯେ, ମୋହନା ଥାନା ଖାରିଗୁମ୍ମା ଗାଁର ୫୪ ବର୍ଷୀୟ ଅବଳା ପାଳ ଜଣେ ଅବିବାହିତା ମହିଳା l ଗତ ରବିବାର ଦିନ ନିଜ ଭଉଣୀ ବିବାହ କରିଥିବା ରା.ଉଦୟଗିରି ଥାନା ଛେଳିଗଡ଼ ଗାଁକୁ ଯାଇଥିଲେ l ହେଲେ ରାସ୍ତାରେ ଠିଆ ହୋଇଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା l ଗୁରୁତର ଅବସ୍ଥାରେ ଅବଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଛେଳିଗଡ଼ ପରେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ l ତେବେ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଚେତା ନଥିଲା l ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ ଭୁବନେଶ୍ୱର  ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା l ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି l ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କ ମର ଶରୀରକୁ ଖରିଗୁମା ଗାଁକୁ ଅଣାଯାଇଛି l ଗାଁରେ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ପରିବାର ଲୋକଙ୍କ ସହମତି ଅନୁଯାଇ ଅବଳାଙ୍କ ଅଙ୍ଗଦାନ ସହ କିଡ଼ନୀ ଓ ଲିଭର ଦାନ କରିଥିବା ପରିବାର ଲୋକେ କହିଛନ୍ତି l

ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ସହ ପରିବାର ପାଇଁ ଗୌରବ ଆଣିଛନ୍ତି l ଏହି ନିଷ୍ପତି ନିଶ୍ଚିତ ଭାବେ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି l ଅଙ୍ଗଦାନ କରିଥିବାରୁ ତାଙ୍କ ପରିବାରକୁ ସରକାର କିଛି ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି l ଅନ୍ୟପକ୍ଷରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ମୋହନା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିବା ଥାନା ଅଧିକାରୀ କହିଛନ୍ତି