ନୀଳଗିରି: ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଗଲା ମହିଳାଙ୍କ ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। ମୃତକ ହେଲେ ନୀଳଗିରି ଥାନା ଅଧିନ ସଜନାଗଡ଼ ପଞ୍ଚାୟତ ପାଣବନ୍ଧ ଗ୍ରାମର ଚନ୍ଦ୍ରମୋହନ ନାୟକଙ୍କ ସ୍ତ୍ରୀ ଶାନ୍ତିଲତା (୪୦)।

ସୂଚନା ଅନୁସାରେ, ଶାନ୍ତିଲତା ବୁଧବାର ଗାଁ ନିକଟ ତିନି କୋଶିଆ ଜଙ୍ଗଲକୁ ଗ୍ରାମବାସୀଙ୍କ ସହ ଛତୁ ତୋଳିବାକୁ ଯାଇଥିଲେ। ହେଲେ ଲଟା ମୂଳରେ ଲୁଚିଥିବା ଏକ ଭାଲୁ ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲା। ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା।

ତେବେ ଏହା ଦେଖି ଅନ୍ୟମାନେ ସେଠାରୁ ଜୀବନ ବିକଳରେ ଦୌଡ଼ିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୀଳଗିରି ହସ୍ପଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।