LIVE TV

‘ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ମିସାଇଲ ଓ ଡ୍ରୋନରେ ଲାଗିଛି ପାଶ୍ଚାତ୍ୟ ଦେଶର ଉପକରଣ’

NEWS7
 Volodymyr Zelenskyy

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଘନ ଘନ ହମଲା ଜାରି ରହିଛି। ରାଜଧାନୀ କିଭ ସମେତ ଅନେକ ଅଞ୍ଚଳ ଉପରେ ମିସାଇଲ ଓ ଡ୍ରୋନ ଜରିଆରେ ହମଲା କରୁଛି  ରୁଷ। ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲିଡିମିର ଜେଲେନସ୍କି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ  କହିଛନ୍ତି, ରୁଷ ମିସାଇଲ ଓ ଡ୍ରୋନରେ ପାଶ୍ଚାତ୍ୟ କମ୍ପାନିଗୁଡିକଠୁ ପ୍ରାପ୍ତ ଉପକରଣ ଲାଗିଛି। ଏହି ଯୋଗାଣ ଉପରେ ରୋକ୍ ଲଗାଇବା ପାଇଁ ଜେଲେନସ୍କି ବଡ଼ ଦାବି କରିଛନ୍ତି।

ସୋମବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଜେଲେନସ୍କି କହିଛନ୍ତି ଯେ, ରବିବାର ହୋଇଥିବା ହମଲାରେ ଶତାଧିକ ହତିଆରରେ ଏକ ଲକ୍ଷରୁ ଅଧିକ ବିଦେଶୀ ଉପକରଣ ମିଳିଥିଲା। ଏହି ଉପକରଣ ପଛରେ ଆମେରିକା, ୟୁକେ, ଜର୍ମାନୀ, ସ୍ଵିଜରଲାଣ୍ଡ,  ଜାପାନ, ଦକ୍ଷିଣ କୋରିଆ, ନେଦରଲାଣ୍ଡ, ତାଇଓ୍ଵାନ ଓ ଚୀନ ପରି ଦେଶ ସାମିଲ୍।

ୟୁକ୍ରେନ ରାଷ୍ଟ୍ରପତି ଜୋର ଦେଇ କହିଛନ୍ତି ଯେ, ଆମେରିକା କମ୍ପାନି ରୁଷ ଡ୍ରୋନ ଓ ମିସାଇଲର ପାଇଁ କନଭର୍ଟର୍ସ, ସେସନସର ଓ ମାଇକ୍ରୋଇଲେକ୍ଟ୍ରୋନିକ୍ସ ପ୍ରସ୍ତୁତ କରୁଛନ୍ତି। ବ୍ରିଟିଶ କମ୍ପାନି ଡ୍ରୋନ ଉଡ଼ାଣ ନିୟନ୍ତ୍ରଣ ପାଇଁ ମାଇକ୍ରୋ କମ୍ପ୍ୟୁଟର ଯୋଗାଇ ଦେଉଛି।

ସେ ଏହା ମଧ୍ୟ କହିଛନ୍ତି, ପ୍ରତ୍ୟେକ କମ୍ପାନି ଓ ଉତ୍ପାଦର ସୂଚନା ୟୁକ୍ରେନର ସହଯୋଗୀଙ୍କ ସହିତ ଆଦାନ ପ୍ରଦାନ କରାଯାଇଛି। ରୁଷ ସେନାକୁ ସହାୟତା ଦେଉଥିବା ପ୍ରତ୍ୟେକଙ୍କ ଉପରେ ପ୍ରଭାବଶାଳୀ କଟକଣା  ଲଗାଇବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଛନ୍ତି ଜେଲେନସ୍କି।

ଜେଲେନସ୍କିଙ୍କ ଏହି ଅଭିଯୋଗ ପରେ ବ୍ରିଟେନର କାରବାର ଏବଂ ବାଣିଜ୍ୟ ବିଭାଗ(ଡିବିଟି) କହିଛି ଯେ, ତାଙ୍କ ସରକାର ଉକ୍ତ କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଯାହାଙ୍କ ଉତ୍ପାଦ ରୁଷର ସୈନ୍ୟ  ଯୋଗାଣରେ ବ୍ୟବହୃତ ହେଉଛି। ତାଙ୍କ ସରକାର ଏହା ଉପରେ କଡ଼ା କଟକଣା ଲଗାଇଛନ୍ତି, ଯେଉଁଥିରେ ୨୬.୯  ବିଲିୟନ ଡଲାରରୁ ଅଧିକ ମୂଲ୍ୟର କାରବାର ପ୍ରଭାବିତ ହେବ। ଉକ୍ତ କମ୍ପାନି ନିୟମ ପାଳନ ନ କଲେ ଆର୍ଥିକ ଦଣ୍ଡ କିମ୍ବା ଅପରାଧିକ ମାମଲା ଚଲାଯିବ। ​​​​​​​