News7 Logo

ଆମେ ବିଜୟୀ ହୋଇଛୁ, ସର୍ତ୍ତ ସହ ଆନ୍ଦୋଳନ ଶେଷ କରିବାକୁ ରାଜି ହେଲେ ମନୋଜ ଜରାଙ୍ଗେ

NEWS7
jarange

ନୂଆଦିଲ୍ଲୀ: ମୁମ୍ୱାଇରେ ମରାଠା ଅନ୍ଦୋଳନରେ ଖୁବଶୀଘ୍ର ବିରାମ ଲାଗିପାରେ । ମରାଠା ଆନ୍ଦୋଳନର ନେତୃତ୍ୱ ନେଉଥିବା ମନୋଜ ଜରାଙ୍ଗେ ପାଟିଲ୍ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଆଲୋଚନା ପରେ ପ୍ରଦର୍ଶନରେ ସାମିଲ ସମର୍ଥକଙ୍କୁ ଆମର ବିଜୟ ହୋଇଛି ବୋଲି ଜରାଙ୍ଗେ ପାଟିଲ୍ କହିଥିଲେ । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ଥରେ ଜିଆର ଅର୍ଥାତ୍ ସରକାରୀ ପ୍ରସ୍ତାବ ଜାରି କରାଯିବା ପରେ ଆଜାଦ ମୈଦାନ ଖାଲି କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିମ୍ୱେ ହାଇକୋର୍ଟ ଆନ୍ଦୋଳନ ନାଁରେ ମୁମ୍ୱାଇର ରାସ୍ତା ରୋକିବା ଉପରେ ଆପତ୍ତି ଉଠାଇଥିଲେ । ଏହାସହ ଆଜି ୩ଟା ସୁଦ୍ଧା ଆଜାଦ ମୈଦାନ ଖାଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ରାଧାକୃଷ୍ଣ ଭିଖେ-ପାଟିଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଜରାଙ୍ଗେଙ୍କୁ ଭେଟିଥିଲେ । ଆଲୋଚନାରେ ସରକାରଙ୍କ ପ୍ରସ୍ତାବକୁ ସେ ସ୍ୱୀକାର କରନ୍ତି । ମରାଠାଙ୍କୁ କୁନବୀ ପ୍ରମାଣପତ୍ର ଦେବା ପାଇଁ ହାଇଦ୍ରବାଦ ଗେଜେଟ୍ ଲାଗୁ କରାଯିବ, ଗୋଟିଏ ମାସ ଭିତରେ ଏହିପରି ସତାରା ରାଜ୍ୟ ପାଇଁ ସମାନ ନିଷ୍ପତ୍ତି ନିଆଯିବ । ସେପ୍ଟେମ୍ୱର ଶେଷରେ ମରାଠା ପ୍ରଦର୍ଶନକାରୀ ବିରୋଧରେ ରୁଜୁ ମାମଲାକୁ ପ୍ରତ୍ୟାହାର କରାଯିବା । ଏହା ବ୍ୟତୀତ ପ୍ରସ୍ତାବରେ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କୁ ଆର୍ଥିକ କ୍ଷତିପୂରଣ କଥା ମଧ୍ୟ ସାମିଲ କରାଯାଇଛି ।

ଜରାଙ୍ଗେ ଅଗଷ୍ଟ ୨୯ରୁ ଦକ୍ଷିଣ ମୁମ୍ୱାଇର ଆଜାଦ ମୈଦାନରେ ଅନସନରେ ବସିଛନ୍ତି । ଓବିସି ବର୍ଗ ଅଧିନରେ ସରକାରୀ ଚାକିରି ଓ ଶିକ୍ଷାରେ ମରାଠା ସମୁଦାୟ ପାଇଁ ୧୦ ପ୍ରତଶିତ ସଂରକ୍ଷଣ ଦାବି କରୁଛନ୍ତି । ହାଇଦ୍ରାବାଦ ଗେଜେଟ୍ ଉପରେ ଜରାଙ୍ଗେ ଏଥିପାଇଁ ଜୋର ଦେଉଛନ୍ତି, କାରଣ ଏଥିରେ ମରାଠାୱାଡା କ୍ଷେତ୍ରରେ ରହୁଥିବା ମରାଠିଙ୍କୁ ସରକାରୀ ଭାବେ କୁନବୀ ସ୍ୱୀକାର କରାଯାଇଥିଲା । ମହାରାଷ୍ଟ୍ରରେ କୁନବୀ ସମୁଦାୟକୁ ଓବିସି ବର୍ଗ ଅଧିନରେ ସଂରକ୍ଷଣ ମିଳୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହାଠାୱାଡା କ୍ଷେତ୍ରରେ ପ୍ରଥମେ ହାଇଦ୍ରାବାଦ ରାଜ୍ୟର ଅଂଶ ରହିଥିଲା ।

ଉଲ୍ଲେଖଯୋଗ୍ୟ, ସୋମବାର ବମ୍ବେ ହାଇକୋର୍ଟ ଆନ୍ଦୋଳନ ସମର୍ଥକମାନଙ୍କୁ ରାସ୍ତାଗୁଡ଼ିକୁ ଖାଲି ରଖିବାକୁ କହିଥିଲେ । ଏହା ପରେ, ଜରାଙ୍ଗେ ଚେତାବନୀ ଦେଇଥିଲେ ଯେ ଯଦି ଗିରଫ କରାଯାଏ କିମ୍ବା ମୁମ୍ବାଇରୁ ବାହାର କରିବାକୁ ଚେଷ୍ଟା କରାଯାଏ, ତେବେ ଏହା ବିପଜ୍ଜନକ ପ୍ରମାଣିତ ହୋଇପାରେ । ଯେକୌଣସି ସୀମାକୁ ଯିବା ପାଇଁ ସେ ଚେତାବନୀ ଦେଇଥିଲେ । ତେବେ ଜରାଙ୍ଗେ ସାଧାରଣ ଲୋକଙ୍କୁ ଅସୁବିଧାରେ ନପକାଇବା ପାଇଁ ସମର୍ଥକମାନଙ୍କୁ ଅପିଲ୍ କରିଥିଲେ ।