ବିନିକା:‘‘ମୋର ଦୁଃଖ ଶୁଣ୍‌ଲେ ଏଥର, ମୋର୍ ହଜୁର... ଆମ ଜିଲ୍ଲାପାଲ୍ ବାବୁ ସାଏବ କଲେକ୍ଟର...’’, ଏଥିଲା ଜଣେ ଦୃଷ୍ଟିବାଧିତ ବ୍ୟକ୍ତି, ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇ ଗାଉଥିବା ଗୀତର କିଛି ଉକ୍ତି। ଆଉ ଏହି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା ଶନିବାର ବିନିକା ବ୍ଲକ୍ ଚରଦାରେ।

ସୂଚନା ଅନୁଯାୟୀ, ବିନିକା ବ୍ଲକ କଇଁନ୍ତିରା ପଞ୍ଚାୟତ କଣ୍ଟାପାଳି ଗାଁ’ର ସୁଧୀର ଦୀପ ଜଣେ ଦୃଷ୍ଟିବାଧିତ। ଭତ୍ତା ଏବଂ ରାସନ ଚାଉଳ ପାଉଥିଲେ ବି ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ, ଭଙ୍ଗା ଦଦରା ଘରେ ଅତି କଷ୍ଟରେ ଜୀବନ ବିତାଉଥିଲେ।

ଏମିତିରେ ଗତ ସେପ୍ଟେମ୍ବର ୨୨ରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବିନିକା ବ୍ଲକ ଚରଦା ଗସ୍ତ ସମୟରେ ତାଙ୍କ ଆଗରେ ଘର ଖଣ୍ଡିଏ ପାଇଁ ଗୀତ ମାଧମରେ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ଜିଲ୍ଲାପାଳ ମଧ୍ୟ ତତ୍କାଳ ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ଶନିବାର ଜିଲ୍ଲାପାଳ କାର୍ଯ୍ୟାଦେଶ ଦେଇଥିବା ଜଣାପଡ଼ିଛି।

ଏମିତିରେ ପୁଣି ଗୀତ ମାଧ୍ୟମରେ ଜିଲ୍ଲାପାଳଙ୍କୁ ସ୍ଵାଗତ କରିଛନ୍ତି ସୁଧୀର ଦୀପ l ଏହି ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ସମେତ ବ୍ଲକ ଓ ପଞ୍ଚାୟତ କର୍ମଚାରୀ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ l