କଟକ: ମା ଦୁର୍ଗାଙ୍କ ଭସାଣି ସମୟରେ ଶୁକ୍ରବାର କଟକ ସହରରେ ଘଟିଥିବା ଗଣ୍ଡଗୋଳକୁ ନେଇ ସ୍ଥିତି ଏ ପର୍ଯ୍ୟନ୍ତ ସୁଧୁରି ନାହିଁ। ଏବେ ବି ସହରର ଅନେକ ସ୍ଥାନରେ ସ୍ଥିତି ଉତ୍ତେଜନାମୂଳକ ରହିଛି। ଆଜି କଟକରେ ଆୟୋଜିତ ରାଲି ବେଳେ ପୁଣି ଉତ୍ତେଜନା ଦେଖା ଦେଇଛିସୋମବାର ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ଦିଆଯାଇଥିବା ବନ୍ଦ ଡକରାକୁ ସମର୍ଥନ କରି ଅନେକ ସଂଗଠନ ରବିବାର ରାଲି ବାହାର କରିଥିଲେ।  ରାଲି ପାଇଁ ପୋଲିସ ଅନୁମତି ନ ଥିବାରୁ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଦରଘା ବଜାରରେ ଉତ୍ତେଜନା ରୋକିବା ପାଇଁ ପୋଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଛି।

ସମ୍ବେଦନଶୀଳ ଅଞ୍ଚଳରେ ଧାରା ୧୬୩ ଜାରି ହୋଇଛି। ଅର୍ଦ୍ଧ ସାମରିକ ବାହିନୀ ସହ ଦଙ୍ଗା ନିୟନ୍ତ୍ରଣ ଗାଡ଼ି ମୁତୟନ କରାଯାଇଛି। ସହରରେ ଭିଡ଼ ନ କରିବାକୁ ପୋଲିସ ଅପିଲ୍ କରିଛି। ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାରେ  ଡିସିପିଙ୍କ ସହ ୬ ପୋଲିସ କର୍ମୀ ଆହତ ହୋଇଛନ୍ତି। ଗଣମାଧ୍ୟମର କିଛି ପ୍ରତିନିଧି ମଧ୍ୟ ଆହତ ହୋଇଥିବା ଜଣା ପଡ଼ିଛି। 

କଟକରେ ମା'ଙ୍କ ଭସାଣି ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣାକୁ ନେଇ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ। ବନ୍ଦ ଡାକରାକୁ ନେଇ ପୋଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଡିସିପି ପୂଜା କମିଟି ଓ ଶାନ୍ତି କମିଟି ଗୁଡିକୁ ନିବେଦନ କରିଛନ୍ତି। ଏହା ସହ କିଛି ପୂଜା କମିଟି ସହ ଡିସିପି ବୈଠକ କରି ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି। ସେପଟେ ସହରର ଲୋକଙ୍କ ମଧ୍ୟରେ ପୋଲିସ ପ୍ରତି ଆସ୍ଥା ବଢାଇବା ଓ ଲୋକଙ୍କ ଭିତରେ ସୁରକ୍ଷାର ଭାବନା ବଢାଇବା ପାଇଁ ଆଜି ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ପୋଲିସ୍ ଫ୍ଲାଗ ମାର୍ଚ୍ଚ କରିଛି। ଆସନ୍ତାକାଲି ବନ୍ଦ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ ପ୍ରସ୍ତୁତ ଥିବା କହିଛି।

ବନ୍ଦ ପୂର୍ବରୁ ପୋଲିସର କଟକ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗ ମାର୍ଚ୍ଚ ଦରଘା ବଜାର ଥାନା ନିକଟରୁ ବାହାରି ହାତୀ ପୋଖରୀ ,ସେମିନାର ଛକ, ଝୋଲା ସାହି ଓ କାଠ ଗଡା ସାହି ଆଦି ଅଞ୍ଚଳ ବୁଲିଥିଲା। ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି।

ବନ୍ଦ ଡାକରା ପ୍ରତି ସମର୍ଥନ ଯୋଗାଡ କରିବାକୁ ଆଜି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ସହରରେ ବାଇକ ରାଲି କରାଯାଇଛି। ଏଥିରେ ବହୁସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ତେବେ ରାଲି ପାଇଁ ଅନୁମତି ନ ଥିବାରୁ ଦରଘା ବଜାରରେ ରାଲିକୁ ଅଟକାଇଥିଲା ପୋଲିସ। ଫଳରେ ଏଠାରେ ଉତ୍ତେଜନାମୂଳକ ସ୍ଥିତି ଉପଜୁଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାର୍ଜ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି। ଘଟଣାରେ  ଡିସିପିଙ୍କ ସହ ୬ ପୋଲିସ କର୍ମୀ ଆହତ ହୋଇଛନ୍ତି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମାଲଗୋଦାମ ବ୍ୟବସାୟୀ ସଂଘ କାଲି କାରବାର ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି। ଅନ୍ୟପଟେ କିଛି ପୂଜା କମିଟି ଖୋଲାଖୋଲି ବନ୍ଦକୁ ସମର୍ଥନ କରିଛନ୍ତି।  ଭାଗବତ ପୂଜା କମିଟି, ମାଲଗୋଦାମ ବ୍ୟବସାୟୀ ସଂଘ ବନ୍ଦକୁ ସମର୍ଥନ କରିଛି।

ସେପଟେ କଂଗ୍ରେସ ନେତା ମହମ୍ମଦ ମୋକିମ ବନ୍ଦ ଡାକରା ସମ୍ପର୍କରେ କୌଣସି ମତାମତ ରଖିନଥିବା ବେଳେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଛନ୍ତି ବନ୍ଦ ଡାକରା ସମ୍ପର୍କରେ କଟିକିଆ କଣ ନିଷ୍ପତ୍ତି ନେବେ ତାହା ସେମାନଙ୍କ ଉପରେ ଛାଡିଦେବା ଉଚିତ୍ ରହିବ ।  ଏହି ଘଟଣାକୁ ନେଇ ବିଜେପିର ମତ ବିଶ୍ବ ହିନ୍ଦୁ ପରିଷଦ ଏକ ସ୍ବତନ୍ତ୍ର ସଙ୍ଗଠନ। ତେଣୁ  କୌଣସି ପ୍ରକାର ଆନ୍ଦୋଳନ ଡାକରା ଦେବା ସେମାନଙ୍କ ସ୍ବାଧୀନତା । ତେବେ ବିଜେଡି ବନ୍ଦ ଡାକରା ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହିଁ​​​​​​​