LIVE TV

ବିଦ୍ୟୁତ କର୍ମଚାରୀମାନଙ୍କୁ ବିଳମ୍ବିତ ରାତି ଯାଏ ଅଟକ ରଖିଥିଲେ ଗ୍ରାମବାସୀ, ଉଦ୍ଧାର କଲା ପୋଲିସ

NEWS7
Ganjam

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗାଁରେ ରବିବାର ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା । ପ୍ରାୟ ୨ମାସ ହେଲା ସମଗ୍ର ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କାଟ ଏବଂ ଅତ୍ୟଧିକ ବିଦ୍ୟୁତ୍‌ ବିଲକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ରବିବାର ସନ୍ଧ୍ୟାରେ ଟିପିଏସଓଡିଏଲର ବିଦ୍ୟୁତ୍ ବିଭାଗର 5ଜଣ କର୍ମଚାରୀ ଗାଁରେ ପହଞ୍ଚି ଥିଲେ। ବିଦ୍ୟୁତ କାଟ ସମ୍ବନ୍ଧୀୟରେ ଗ୍ରାମବାସୀ ଓ କର୍ମଚାରୀଙ୍କ ସହ ବଚସା ହୋଇଥିଲା। ପରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ବିଭାଗର ଗାଡ଼ି ସମେତ ଗାଁ ମଠ ଦାଣ୍ଡ ସ୍ଥିତ ଏକ ଘରେ କର୍ମଚାରୀଙ୍କୁ ଦୀର୍ଘ 10ଘଣ୍ଟା ଅଟକ ରଖିଥିଲେ।

ଉପରିସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ କର୍ମଚାରୀଙ୍କୁ ଛଡାଯିବ ବୋଲି ଗ୍ରାମବାସୀ ଜିଦ୍‌ ଧରି ବସିଥିଲେ। ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଦିଗପହଣ୍ଡି ପୋଲିସ ଟିମ୍‌ ରାତି ପ୍ରାୟ ୧୦ ଟାରେ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାପରେ ଗ୍ରାମବାସୀ ଅଟକ କର୍ମଚାରୀଙ୍କୁ ଛାଡିଥିବା ଜଣାପଡିଛି।