ନୂଆଦିଲ୍ଲୀ: ଭାରତର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ଦୁଇଦିନିଆ ଦୋହା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସୋମବାର ପୀୟୂଷ ଗୋଏଲ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ବଢ଼ାଇବା ଯୋଜନା ଉପରେ ଚର୍ଚ୍ଚା କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତ ଏବଂ କତାର ମଧ୍ୟରେ ଫ୍ରି ଟ୍ରେଡ ଆଗ୍ରିମେଣ୍ଟ (FTA) ଅର୍ଥାତ୍ ମୁକ୍ତ ବାଣିଜ୍ୟ ଚୁକ୍ତି ଆସନ୍ତା ବର୍ଷ ମଧ୍ୟ ଭାଗ କିମ୍ବା ୨୦୨୬ର ତୃତୀୟ ତ୍ରୈମାସିକରେ ନିର୍ଦ୍ଧାରିତ ହୋଇପାରେ। ଏହି ଚୁକ୍ତି ଫଳରେ ଉଭୟ ଦେଶଙ୍କୁ ବହୁତ ଲାଭ ମିଳିବ।

ପୀୟୂଷ ଗୋଏଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ସକାରାତ୍ମକ ଏବଂ ରଚନାତ୍ମକ ଦିଗରେ ଆଗକୁ ବଢ଼ୁଛି। ଆମେ ଆଶା କରୁଛୁ ଆସନ୍ତା ବର୍ଷ ମଧ୍ୟ କିମ୍ବା ତୃତୀୟ ତ୍ରୈମାସିକ ସୁଦ୍ଧା ଭାରତ ଏବଂ କତାର ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ସହମତି ହୋଇଯିବ। ଏବେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଛି। ତେବେ ଟ୍ରମ୍ପ ଟାରିଫ୍‌ର ଜବାବରେ ଭାରତ ଏବେ କତାରରୁ ନିଜ ବାଣିଜ୍ୟକୁ ବଳ ଦେବାକୁ ଚାହୁଛି। କତାର ମଧ୍ୟ ଆମେରିକା ଠାରୁ ଦୂରତା ରଖି ଭାରତ ସହ ସମ୍ପର୍କ ମଜଭୁତ କରୁଛି।

ଏହି ଦେଶ ସହ ମଧ୍ୟ ଜାରି ରହିଛି ଆଲୋଚନା

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଭାରତ ପେରୁ, ଚିଲୀ ଏବଂ କିଛି ଅନ୍ୟ ଦେଶଙ୍କ ସହ ମଧ୍ୟ ଫ୍ରି ଟ୍ରେଡ ଆଗ୍ରିମେଣ୍ଟ ନେଇ କଥାବାର୍ତ୍ତା କରୁଛି। ଯାହାଦ୍ବାରା ଭାରତୀୟ ବ୍ୟାପାରକୁ ବିଶ୍ବ ସ୍ତରରେ ସ୍ତରରେ ଆହୁରି ମଜଭୁତ କରାଯାଇପାରିବ। ସେ କହିଛନ୍ତି, ଭାରତୀୟ ବାଣିଜ୍ୟକୁ ନୂଆ ଉଚ୍ଚତା ନେବାକୁ ଯୋଜନା କରାଯାଉଛି। ଏଥିପାଇଁ କତାର, ପେରୁ, ଚିଲୀ ଏବଂ କିଛି ଅନ୍ୟ ଦେଶ ସହ ଲଗାତାର ଆଲୋଚନା ଜାରି ରହିଛି। ଆଗକୁ ଏହି କଥାବାର୍ତ୍ତା ସକାରାତ୍ମକ ରୂପ ନେବ।

ଭାରତ ଏବଂ କତାର ମଧ୍ୟରେ ୧୪ ବିଲିୟନ ଡଲାରର ଟ୍ରେଡ୍

ପୀୟୂଷ ଗୋଏଲ କହିଛନ୍ତି ଏବେ ଭାରତ ଏବଂ କତାର ମଧ୍ୟରେ ୧୪ ବିଲିୟନ ଡଲାରର ବାଣିଜ୍ୟ ହେଉଛି। ଯାହାକୁ ୨୦୩୦ ସୁଦ୍ଧା ୩୦ ବିଲିୟନ ଡଲାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ FTAର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ। ସେ କହିଛନ୍ତି କତାର ସହ କୃଷି, ଖାଦ୍ୟ ଉତ୍ପାଦ, ଅଣ-ପାରମ୍ପରିକ ଉର୍ଜା, ନବୀକରଣ ଯୋଗ୍ୟ ଉର୍ଜା ଉତ୍ସ, ଡାଟା ସେଣ୍ଟର, ପର୍ଯ୍ୟଟନ, କସମେଟିକ୍ସ, ଫାର୍ମା ଇତ୍ୟାଦିରେ ସହଯୋଗ ବଢ଼ାଇବାର ବେଶ ସମ୍ଭାବନା ରହିଛି।