News7 Logo

ମୁମ୍ଵାଇରେ ୧୪ ପାକ୍ ଆତଙ୍କୀ ! ଆରଡିଏକ୍ସ ଲଗାଇବ ସହରକୁ ଉଡାଇ ଦେବାକୁ ମିଳିଲା ଧମକ

NEWS7
mumbai

ମୁମ୍ବାଇ ୦୬୦୯: ମାୟାନଗରୀ ମୁମ୍ବାଇ ଏବେ ବିପଦରେ! ୩୪ ଗାଡ଼ିରେ ୪୦୦ କିଲୋଗ୍ରାମ୍‌ ଓଜନର ଆର୍‌ଡିଏକ୍ସ ଧରି ବୁଲୁଛନ୍ତି ୧୪ ପାକିସ୍ତାନୀ ଆତଙ୍କବାଦୀ । ସେମାନେ ମୁମ୍ବାଇରେ ଭୟଙ୍କର ବୋମା ବିସ୍ଫୋରଣ ଘଟାଇବାକୁ ଧମକ ଦେଇଥିବା କୁହାଯାଉଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ହେବ ଯେ ୧ କୋଟି ଲୋକଙ୍କ ଜୀବନହାନି ହୋଇପାରେ । ମୁମ୍ବାଇ ପୋଲିସକୁ ଗୁରୁବାର ବିଳମ୍ବିତ ରାତିରେ ହ୍ୱାଟ୍‌ସଆପ୍‌ରେ ଏହି ଧମକପୂର୍ଣ୍ଣ ମେସେଜ୍‌ ମିଳିଛି । ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ପୋଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ଏନେଇ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ଆରମ୍ଭ କରିଦେଇଛି । ବିଶେଷକରି ହ୍ୱାଟ୍‌ସଆପ୍‌ ମେସେଜ୍‌ର ସୂତ୍ର ଜାଣିବା ଲାଗି ଉଦ୍ୟମ କରାଯାଉଛି । ଆତଙ୍କବାଦ ନିରୋଧ ସ୍କ୍ୱାଡ୍‌ (ଏଟିଏସ୍‌) ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଆକ୍ସନ ମୋଡ୍‌କୁ ଆସିଛନ୍ତି । ଦେଶରେ ଲସ୍କର-ଏ-ଜିହାଦୀର ୧୪ ଆତଙ୍କୀ ପ୍ରବେଶ କରିଥିବା ନେଇ କିଛିଦିନ ହେଲା ରିପୋର୍ଟ ଆସୁଛି । ସେହି ଦୃଷ୍ଟିରୁ ହ୍ୱାଟ୍‌ସଆପ୍‌ରେ ମିଳିଥିବା ଧମକକୁ ଅତ୍ୟନ୍ତ ଗୁରୁତ୍ୱର ସହ ନିଆଯାଇଛି ।

ବୋମା ବିସ୍ଫୋରଣ ଧମକ ମିଳିବା କ୍ଷଣି ମୁମ୍ବାଇ ପୁଲିସର ନିଦ ହଜିଯାଇଛି । ବିଭିନ୍ନ ପ୍ରମୁଖ ସ୍ଥାନରେ ଅଧିକ ପୁଲିସ କର୍ମୀ ମୁତୟନ କରାଯାଇଛି । ଆଜି ଗଣେଶ ଉତ୍ସବର ଅନ୍ତିମ ଦିନ ତଥା ଅନନ୍ତ ଚତୁର୍ଦ୍ଦଶୀ । ଫଳରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଣେଶ ବିସର୍ଜନ ପାଇଁ ବାହାରକୁ ବାହାରିବେ । ତେଣୁ ସୁରକ୍ଷା କଡ଼ାକଡ଼ି କରାଯାଇଛି । କେତେକ ସ୍ଥାନରେ କମ୍ବିଂ ଅପରେସନ ଜୋରଦାର ହୋଇଛି । ଏଭଳି ପରିସ୍ଥିତିରେ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନ କରିବାକୁ ଜନତାଙ୍କୁ ଅପିଲ୍‌ କରାଯାଇଛି । ଏହାଛଡ଼ା ସନ୍ଦିଗ୍ଧ ଗତିବିଧି ନଜରକୁ ଆସିଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ କୁହାଯାଇଛି । ପୁଲିସକୁ ମେସେଜ୍‌ ପଠାଇଥିବା ବ୍ୟକ୍ତି ନିଜକୁ ଲସ୍କର-ଏ-ଜିହାଦୀସଙ୍ଗଠନର ସଦସ୍ୟ ଦର୍ଶାଇଛି । ମେସେଜ୍‌ରେ ଆହୁରି କୁହାଯାଇଛି ଯେ ୧୪ ଆତଙ୍କବାଦୀ ଭାରତରେ ପଶିସାରିଛନ୍ତି । ସେମାନେ ୪୦୦ କିଲୋ ଆର୍‌ଡିଏକ୍ସ ଦ୍ୱାରା ବିସ୍ଫୋରଣ ଘଟାଇବାକୁ ଯାଉଛନ୍ତି ।

ପୋଲିସ ଅଧିକାରୀ ଏବେ ଘନଘନ ବୈଠକ ଆରମ୍ଭ କରିଦେଇଛନ୍ତି । ଘଟଣା ଉପରେ ଅହରହ ନଜର ରଖିବାକୁ ସ୍ୱତନ୍ତ୍ର ଟିମ୍‌ ମୁତୟନ କରାଯାଇଛି । ସର୍ବସାଧାରଣ ସ୍ଥାନରେ ସତର୍କତା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଏହା ଏକ ମିଥ୍ୟା ଧମକ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହା ପୂର୍ବରୁ ଅଗଷ୍ଟ ୨୫ରେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ରେଳଷ୍ଟେସନକୁ ବୋମାରେ ଉଡ଼ାଇବାକୁ ଧମକ ଦେବା ଅଭିଯୋଗରେ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ପରେ ଉକ୍ତ ଧମକ ମିଥ୍ୟା ପ୍ରମାଣିତ ହୋଇଥିଲା ।