ନୂଆଦିଲ୍ଲୀ: ଆର୍ଜେଣ୍ଟିନାରେ ତିନି ଯୁବତୀଙ୍କୁ କଲବଲ କରି ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଲାଗି ରହିଛି। ଘଟଣା ଦେଶବାସୀଙ୍କୁ ମର୍ମାହତ କରିଥିବାବେଳେ ଅନେକ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।ବଡ଼ କଥା ହେଲା ଏହି ହତ୍ୟା ଏବଂ ନିର୍ଯାତନାର ଭିଡିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଲାଇଭ କରାଯାଇଥିଲା। ଯାହା ଏତେ ଭୟଙ୍କର ଥିଲା ଯେ, ଏହା ସମସ୍ତଙ୍କୁ ସ୍ତବ୍ଧ କରିଛି।

ତେବେ ଘଟଣା ସାମ୍‌ନାକୁ ଆସିବା ପରେ ରାଜଧାନୀ ବ୍ୟୁନସ ଆୟର୍ସ ସମେତ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଛି। ଲୋକେ ଆର୍ଜେଣ୍ଟିନାର ସଂସଦ ପର୍ଯ୍ୟନ୍ତ ରାଲି କରିଛନ୍ତି। ରିପୋର୍ଟ ଅନୁସାରେ ମୃତ ଝିଅଙ୍କ ନାଁ ଲାରା ଗୁଟିରେଜ (୧୫) ଏବଂ ବ୍ରେଣ୍ଡା ଡେଲ କାଷ୍ଟିଲୋ ଏବଂ ମୋରେନା ବେରଦୀ (ଉଭୟଙ୍କ ବୟସ ୨୦ ବର୍ଷ)। ଏହି ତିନି ଜଣ ସେପ୍ଟେମ୍ବର ୧୯ରେ ଏକ ଦଳରେ ଯୋଗଦେବା ପରେ ନିଖୋଜ ହୋଇଯାଇଥିଲେ। ପାଞ୍ଚ ଦିନ ପରେ ପୋଲିସ ସେମାନଙ୍କ ଶବକୁ ଘର ପଛପଟେ ମାଟିତଳୁ ଉଦ୍ଧାର କରିଛି।

କେମିତି ହେଲା ହତ୍ୟା ?

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଯୁବତୀଙ୍କୁ ପ୍ରଥମେ ନିର୍ମମ ଭାବରେ ମାଡ଼ ମରାଯାଇଥିଲା। ସେମାନଙ୍କ ହାତର ନଖ ଛିଣ୍ଡାଇ ଆଙ୍ଗୁଠି କାଟି ଦିଆଯାଇଥିଲା ଏବଂ ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା। କୁହାଯାଉଛି ଏହା କୌଣସି ଡ୍ରଗ୍ସ ଗ୍ୟାଙ୍ଗର କାମ। କାରଣ ଏହି ଗ୍ୟାଙ୍ଗ୍ ସନ୍ଦେହ କରୁଥିଲା ଏହି ଯୁବତୀଙ୍କୁ ସେମାନଙ୍କଠାରୁ ଡ୍ରଗ୍ସ ଚୋରି କରୁଥିବା ସନ୍ଦେହ କରୁଥିଲେ। ଏକ ଭିଡିଓରେ, ଗ୍ୟାଙ୍ଗର ଲିଡର କହୁଛି, ‘‘ଯିଏ ମୋଠାରୁ ଡ୍ରଗ୍ସ ଚୋରି କରିବ, ସେ ସମାନ ଫଳ ଭୋଗିବ।’’ ମୃତ ଯୁବତୀଙ୍କୁ ସମ୍ପର୍କୀୟ କହିଛନ୍ତି, ଝିଅର ଅବସ୍ଥା ଦେଖିବା ପରେ ସେ ତାଙ୍କୁ ଚିହ୍ନିପାରୁନାହାଁନ୍ତି। ତାଙ୍କ ଜେଜେବାପା କହିଥିଲେ ଯେ, ଏହି ଯୁବତୀଙ୍କ ସହ ଯାହା ଘଟିଛି ତାହା ଖୁବ୍ ହୃଦୟବିଦାରକ। ପଶୁମାନଙ୍କ ସହ ମଧ୍ୟ କେହି ଏଭଳି କରିନପାରେ।

ଏକ ବ୍ୟକ୍ତିଗତ ଆକାଉଣ୍ଟରୁ ଲାଇଭ୍ ଷ୍ଟ୍ରିମିଂ

ରିପୋର୍ଟ ଅନୁସାରେ, ସମ୍ପୂର୍ଣ୍ଣ ଘଟଣାଟି ଏକ ଘରୋଇ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଲାଇଭ ଷ୍ଟ୍ରିମିଂ କରାଯାଇଥିଲା। ତଥାପି, ଇନଷ୍ଟାଗ୍ରାମର ମାଲିକାନାରେ ଥିବା କମ୍ପାନି ମେଟା କହିଛି ଯେ, ସେମାନେ ଏହାର କୌଣସି ପ୍ରମାଣ ପାଇନାହାଁନ୍ତି। ସେମାନେ ପୋଲିସକୁ ତଦନ୍ତରେ ସହାୟତା କରୁଛନ୍ତି। ଯୁବତୀଙ୍କ ହତ୍ୟା ପରେ, ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ‘‘ଆମର ଜୀବନ କ'ଣ ମୂଲ୍ୟହୀନ ?’’ ଏବଂ ‘‘ଏହା ନାର୍କୋ-ଫେମିନିସାଇଡ୍।’’ ଅର୍ଥାତ୍ ଯୁବତୀଙ୍କୁ ଡ୍ରଗ୍ସ ଚାଲାଣକାରୀଙ୍କ ଦ୍ୱାରା ହତ୍ୟା କରାଯାଇଛି।